ଅନ୍‌ଲାଇନ୍‌ ମଦ ବିକ୍ରି ପାଇଁ ଟୋଲ୍‌ ଫ୍ରି’ ନମ୍ୱର ଜାରି

କଟକ:-ରାଜ୍ୟରେ ଚାଲିଥିବା ଅନ୍‌ଲାଇନ୍‌ ମଦ ବିକ୍ରିକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଆଉ ଏକ ନୂଆ ଯୋଜନା କରିଛନ୍ତି । ସେହିକ୍ରମରେ ଗ୍ରାହକଙ୍କ ସୁବିଧା ପାଇଁ ସରକାର ଏବେ ଟୋଲ୍‌ ଫ୍ରି ନମ୍ୱର ଜାରି ହୋଇଛି । ଏହା ଆସନ୍ତାକାଲିଠାରୁ କାମ କରିବ । ଏହା ପୂର୍ବରୁ ରାଜ୍ୟ ସରକାର ମଦ ବୁକିଂ ପାଇଁ ଏକ ୱେବ୍‌ସାଇଟ୍‌ ମଧ୍ୟ ଖୋଲିଥିଲେ ।

ଗତ ୨୩ ତାରିଖ ଦିନ ରାଜ୍ୟ ସରାକର ଅନ୍‌ଲାଇନ ମଦ ବେପାରକୁ ଅନୁମତି ଦେଇଥିଲେ । ୨୪ ତାରିଖ ସକାଳୁ ଏହି ବେପାର ଆରମ୍ଭ ହେଲା । ତେବେ ବର୍ତମାନ ଗ୍ରାହକମାନେ ମଦ ଦୋକାନୀଙ୍କୁ ଫୋନ୍‌ କରି ମଦ ଅର୍ଡର ଦେଉଛନ୍ତି । ମଦ ଅର୍ଡର ଦେବା ଓ କିଣିବାରେ ଗ୍ରାହକମାନେ କିଛି ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୂର କରିବା ଓ ଗ୍ରାହକଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏକ ନୂଆ ପଦକ୍ଷେପ ନେଇଛି । ଦୁଇଟି ଟୋଲ୍‌ ଫ୍ରି ନମ୍ୱର ଜାରି ହୋଇଛି । ଏହି ନମ୍ୱର ଦୁଇଟି ହେଲା ୧୮୦୦୩୪୫୬୭୭୦ ଏବଂ ୧୫୫୩୩୫ । ଏହି ଦୁଇଟି ନମ୍ୱର ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ କାମ କରିବ । ଏହି ହେଲ୍‌ପ ଲାଇନ୍‌ ଦୁଇଟି ଏବେ ଓକାକ୍‌ କାର୍ଯ୍ୟାଳୟରେ କାମ କରୁଛି । ଗ୍ରାହକମାନେ ନିଜର ବିଭିନ୍ନ ପ୍ରଶ୍ନରଉତ୍ତର ଏହି ହେଲ୍‌ପ ଲାଇନ୍‌ରୁ ପାଇପାରିବେ । ପୂର୍ବରୁ କିଛି ଦିନ ହେବ ରାଜ୍ୟ ଅବକାରୀ ବିଭାଗ ଏକ ୱେବ୍ସାଇଟ୍‌ ଲଞ୍ଚ୍‌ କରି ମଦର ଅନଲାଇନ୍‌ ବୁକିଂ ମଧ୍ୟ କରିବା ଆରମ୍ଭ କରିଛି ।

ଅନ୍ୟପଟେ ଅବକାରୀ ବିଭାଗ ଆଉ ଏକ କମ୍ପାନୀକୁ ମଦର ହୋମ୍‌ଡେଲିଭରି କରିବା ପାଇଁ ଅନୁମତି ଦେଇଛି । ଟିପ୍ଲୁର୍‌ ବ୍ରିଭରେଜ୍‌ ଟେକ୍ନୋଲୋଜି ଏନାବଲର ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏହି ସଂସ୍ଥାକୁ ଅନୁମତି ମିଳିଛି । ଭୁବନେଶ୍ୱର, କଟକ, ପୁରୀ ଓ ସମ୍ୱଲପୁର ମହାନଗର ଅଞ୍ଚଳରେ ଏହି ସଂସ୍ଥା ମଦର ହୋମ୍‌ ଡେଲିଭରି କରିପାରିବ । ପୂର୍ବରୁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଜୋମାଟୋକୁ ସିଏମ୍‌ସି, ବିଏମ୍‌ସି, ବ୍ରହ୍ମପୁର, ପୁରୀ ଓ ରାଉରକେଲାରେ, ସ୍ୱିଗିକୁ ବିଏମ୍‌ସି, ସିଏମ୍‌ସି, ବ୍ରହ୍ମପୁର ଓ ରାଉରକେଲାରେ ମଦର ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *