ଆଜିଠୁ ୯ମ, ୧୦ମ ବହି ବିକ୍ରି ଆରମ୍ଭ
କଟକ:-ଆଜି ଠାରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ବହି ବିକ୍ରି । ଆସନ୍ତା ୨ ସପ୍ତାହ ଭିତରେ ସମସ୍ତ ବହି ବିକ୍ରି ଶେଷ ହେବ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)କୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ କରୋନା ସଂକ୍ରମିତ ଅଞ୍ଚଳ (କଣ୍ଟେନ୍ମେଣ୍ଟ ଜୋନ୍)ରେ ବହି ବିକ୍ରି ହେବ ନାହିଁ । କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର ହେଲା ପରେ ଯାଇ ଉକ୍ତ ଅଞ୍ଚଳରେ ବହି ବିକ୍ରି ହେବ । ବହି ବିକ୍ରି ପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ଗଣଶିକ୍ଷା ବିଭାଗର ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ବେହେରା ଚିଠି ମାଧ୍ୟମରେ ବୋର୍ଡ ସମ୍ପାଦକଙ୍କୁ ଅବଗତ କରାଇଛନ୍ତି ।
ଗତ ଏପ୍ରିଲ ୨୭ରୁ ବୋର୍ଡର ୫ଟି ଜୋନ ସମ୍ବଲପୁର, ବ୍ରହ୍ମପୁର, ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁର ଜୋନକୁ ନବମ ଓ ଦଶମ ଶ୍ରେଣୀର ସମସ୍ତ ବହି ପଠା ହୋଇଥିଲା । ପ୍ରତ୍ୟେକ ଜୋନରେ ପାଖାପାଖି ୩ ଲକ୍ଷ ବହି ଷ୍ଟକ୍ ରହିଥିଲା । କିନ୍ତୁ କୋଭିଡ଼-୧୯ କଟକଣା ଭିତରେ କେମିତି ବହି ବିକ୍ରି କରାଯିବ ସେନେଇ ବୋର୍ଡ କର୍ତ୍ତୃପକ୍ଷ ସରକାରଙ୍କୁ ଅନୁମତି ମାଗିଥିଲେ । ସରକାରଙ୍କୁ ଏନେଇ ବୋର୍ଡ ପକ୍ଷରୁ ଗତ ୪ ତାରିଖରେ ଚିଠି ଲେଖାଯାଇଥିଲା । ସରକାର ଅନୁମତି ପ୍ରଦାନରେ ଡେରି କରୁଥିବା ବେଳେ କେତୋଟି ପ୍ରାଇଭେଟ୍ ସଂସ୍ଥାର ବହି ବଜାରରେ ବିକ୍ରି ହୋଇଥିଲା । ବିଳମ୍ବରେ ହେଲେ ବି ଆଜି ସ୍କୁଲ୍ ଗଣଶିକ୍ଷା ବିଭାଗ ପକ୍ଷରୁ ବହି ବିକ୍ରି କରିବାକୁ ଅନୁମତି ଦିଆଯାଇଛି ।










