ଆସୁଛି ଅମ୍ପାନ୍, ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ନେଇ ପୂର୍ବାନୁମାନ
ଭୁବନେଶ୍ବର:-ଓଡିଶା ଉପକୂଳ ଦେଇ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ ଅମ୍ଫାନ । ଏନେଇ ଭିନ୍ନ ଆକଳନ କରିଛି ନ୍ୟାସନାଲ ସେଂଟର ଫର ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟିଂ ତଥା ଏନସିଏମଆରଡବ୍ଲୁଏଫ । ତେବେ କେନ୍ଦ୍ର ସରକାରଙ୍କ ଭୂ-ବିଜ୍ଞାନ ମନ୍ତ୍ରାଳୟର ଏହି ବିଭାଗ ପାଣିପାଗ ଓ ଜଳବାୟୁ ପରିବର୍ତନ ସଂପର୍କରେ ମଡେଲ ପ୍ରସ୍ତୁତ କରିଥାଏ । ଏହି ସଂସ୍ଥା ଦ୍ୱାରା ଦିଆଯାଇଥିବା ସାଟେଲାଇଟ ଚିତ୍ରରେ ବାତ୍ୟା ଅମ୍ଫାନ ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ର ଭାଗରେ ଥିବା ଲଘୁଚାପ ଅବପାତର ରୂପ ନେଇ ଆଜି ସଂଧ୍ୟା ସୁଧା ଏହା ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ ।ଯଦିଓ ବାତ୍ୟାର ଗତିପଥ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ରହଛି କିନ୍ତୁ ଏହାର ପ୍ରଭାବ ଓଡିଶା ଉପରେ ରହିବା ନେଇ ଏନସିଏମଆରଡବ୍ଲୁଏଫ୍ ପକ୍ଷରୁ ଦର୍ଶା ଯାଇଥିବା ଚିତ୍ରରୁ ଜଣାପଡୁଛି । ସେପଟେ ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ବେଶି ପ୍ରଭାବ ପଡିପାରେ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ଏସବୁ ଜିଲ୍ଲା ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସେହିଭଳି ୧୨ଟି ଜିଲ୍ଲା ତଥା ଗଂଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି ।