କରୋନା ଯୋଦ୍ଧାଙ୍କ ପାଇଁ ଆଜି ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ବର:-କରୋନା ଯୋଦ୍ଧାଙ୍କ ପାଇଁ ଆଜି ଗାନ କରାଯିବ ବନ୍ଦେ ଉତ୍କଳ ଜନନୀ । ସଂଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବେ ଦେଶବିଦେଶରେ ଥିବା ସବୁ ଓଡ଼ିଆ । କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଏହି ସଂଗୀତ ଗାନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ଭଳି ବିଶ୍ୱ ମହାମାରୀକୁ ରୋକିବା ପାଇଁ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରି ଦିନରାତି ଏକ କରି ଦେଇଥିବା କରୋନା ଯୋଦ୍ଧାଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ଅନୁରୋଧ କରିଛନ୍ତି ନବୀନ ।ଓଡ଼ିଆ ଭାଇଭଉଣୀମାନେ ଦୁନିଆର ଯେଉଁଠାରେ ବି ଥାଆନ୍ତୁ, ଆଜି ସଂଧ୍ୟା ସାଢ଼େ ୫ଟାରେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ସମୟରେ ସବୁ ଟ୍ରାଫିକ୍ ବନ୍ଦ ରଖିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ସରକାରୀ-ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ବିଲବାଡି, ଘର-ବଜାର ଯେଉଁଠାରେ ଥାଆନ୍ତୁ ନା କାହିଁକି ସମସ୍ତେ ନିଜ ସ୍ଥାନରେ ଛିଡ଼ା ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ସଂଗୀତ ଗାନ କରିବା ପାଇଁ ଲୋକସେବା ଭବନରେ ବିଶେଷ ବ୍ୟବସ୍ଥା କରାଯାଉଛି । ସେହିପରି ପୋଲିସ ସେବା ଭବନ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଉଛି । ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ କମିସନରେଟ୍ ପୋଲିସ ଅଧୀନରେ ଥିବା ସମସ୍ତ ଥାନାରେ ମଧ୍ୟ ବ୍ୟବସ୍ଥା ହୋଇଛି ।

Leave a Reply

Your email address will not be published. Required fields are marked *