ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା : ୧୯ କିମ୍ବା ୨୦ରେ ଛୁଇଁପାରେ ଉପକୂଳ

ଭୁବନେଶ୍ବର :-ବଙ୍ଗୋପସାଗରରେ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍‌ ମାର୍କଡ୍‌ ଲଘୁଚାପର ରୂପ ନେଇଛି । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଆସିପାରେ ବୋଲି ଆକଳନ କରାଯାଉଛି । ଉତ୍ତର ଓଡ଼ିଶା ଉପକୂଳ କିମ୍ବା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗରେ ବାତ୍ୟା ସ୍ପର୍ଶ କରିବାର ଆଶଙ୍କା ରହିଛି । ଆସନ୍ତା ୧୯ କିମ୍ବା ୨୦ ତାରିଖରେ ବାତ୍ୟା ଉପକୂଳ ଛୁଇଁପାରେ । ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସହ ୮୦ରୁ ୧୦୦ କିଲୋମିଟର ବେଗରେ ପବନ ହୋଇପାରେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ର ଆକଳନ ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ୍‌ ମାର୍କଡ୍‌ ଲଘୁଚାପର ରୂପ ନେଇଛି । ଏହା ୧୫ ତାରିଖରେ ଅବପାତ ବା ଡିପ୍ରେସନ୍‌ ର ରୂପ ନେବ । ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ ।

୧୭ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର-ଉତ୍ତର ପୂର୍ବ ଦିଗ ଆଡ଼କୁ ବୁଲିଯିବ । ୧୮ରୁ ଓଡ଼ିଶାରେ ଏହାର ପ୍ରଭାବ ଅନୁଭୂତ ହେବ । ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ସାଙ୍ଗକୁ ୪୦-୫୦ କି.ମି. ବେଗରେ ପବନ ବହିବ । ପବନର ବେଗ ମଝିରେ ମଝିରେ ୬୦ କି.ମି. ରହିପାରେ। ୧୯ ତାରିଖରେ ବାତ୍ୟା ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖରେ ଥିବ। ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ୬୦-୭୦ କି.ମି. ବେଗରେ ପବନ ବହିପାରେ। ମଝିରେ ମଝିରେ ୮୦ କି.ମି. ପର୍ଯ୍ୟନ୍ତ ପବନ ବହିବା ଆଶଙ୍କା ରହିଛି ।

୧୮ ତାରିଖରୁ ଓଡ଼ିଶା ଉପକୂଳରେ ସମୁଦ୍ର ଭିତରକୁ ପ୍ରବେଶ ନ କରିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ର ଭିତରେ ଅଛନ୍ତି, ସେମାନେ ୧୭ ତାରିଖ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *