ଅନଲାଇନରେ ମଦ ମଗାଇ ପିଇବା ନିଶା ଏକାଥର କେ ଛାଡିଗଲା, ୪ଶହ ଟଙ୍କାର ମଦ ପାଇଁ ଚାଲିଗଲା ୧ଲକ୍ଷ ୩୭ ହଜାର

ଭୁବନେଶ୍ୱର:-ଅନଲାଇନରେ ମଦ ମଗାଇ ପିଇବା ନିଶା ଏକାଥର କେ ଛାଡିଯାଇଛି ।  ୪ଶହ ଟଙ୍କାର ମଦ ପାଇଁ ଖାଲି ହୋଇଗଲା ଜଣଙ୍କର ବ୍ୟାଙ୍କ ଆକାଉଣ୍ଟ । ଅନଲାଇନରେ ମଦ ଦେବାକୁ କହି ଏକ ଲକ୍ଷ ୩୭ ହଜାର ନେଇଗଲେ ଠକ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଫେସବୁକରେ ଏଭଳି ଏକ ବିଜ୍ଞାପନର ମୋହରେ ପଡି ଜଣେ ବ୍ୟକ୍ତି ଏକ ବଡ ଠକେଇର ଶିକାର ହୋଇଛନ୍ତି ।ମହଙ୍ଗା ପଡ଼ିଲା ଅନଲାଇନରେ ମଦ କିଣା । ଖାଲି ହୋଇଗଲା ବ୍ୟାଙ୍କ ଖାତା । ୪ଶହ ଟଙ୍କାର ମଦ ପାଇଁ ଚାଲିଗଲା ୧ଲକ୍ଷ ୩୭ ହଜାର । ଭୁବନେଶ୍ୱରର ଜଣେ ଯୁବକଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ଫେସବୁକରେ ଏକ ଫୋନ ନମ୍ବର ମିଳିଲା ଏବଂ ଏଥିରେ କୁହାଯାଇଥିଲା ଅନଲାଇନରେ ମଦ ମିଳିବ । ଯୁବକ ଜଣଙ୍କ ମଦ ମଗାଇଥିଲେ ଏବଂ ସର୍ତ୍ତ ଅନୁସାରେ ୫୦ ପ୍ରତିଶତ ଅର୍ଥାତ୍ ୨ଶହ ଟଙ୍କା ଅନଲାଇନରେ ପଠାଇ ଦେଲେ । ଏହାପରେ ଏକ କୋଡ ଆସିଲା ଏବଂ ତାକୁ କନଫର୍ମ କରିଦେଲେ ଗ୍ରାହକ ଯୁବକ । କିନ୍ତୁ ତାପରେ ଯାହା ଘଟିଲା ତାହା ସେ କେବେ ଭାବି ନଥିଲେ । ତୁରନ୍ତ ଆକାଉଣ୍ଟରୁ ଗାଏବ ହୋଇଗଲା ୧ଲକ୍ଷ ୩୭ ହଜାର ଟଙ୍କା । ଆଉ ଖାତାରେ ଥିଲା ୫ଶହ ଟଙ୍କା ।ଏହି ଘଟଣା ପରେ ଆମେ ସେହି ନମ୍ବରରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ଏବଂ ଅନୁମାନ କରୁଛୁ ସେହି ଯୁବକ ହିଁ ଫୋନ ଉଠାଇଥିଲେ । ଆମେ ମଦ ଦରକାର କହି ତାଙ୍କ ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରିଥିଲୁ । ସେ ସେହି କଥା କହିଥିଲେ ଯେ, ୫୦ ପ୍ରତିଶତ ଅଗ୍ରିମ ପଠାଇବା ପାଇଁ । ଆମ ପ୍ରତିନିଧି କହିଥିଲେ, ଟଙ୍କା ନପଠାଇ ଦୋକାନ ପାଖରେ ଡେଲିଭରି ଦେବା ପାଇଁ । ଆଉ ସେତେବେଳେ ସେହି ଠକର ପ୍ରକୃତ ଚେହେରା ସାମ୍ନାକୁ ଆସିଥିଲା । ଏନେଇ ଯୁବ5 ଜଣକ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ବାଲିହନ୍ତା ଥାନା ଅଞ୍ଚଳରେ ଜଣେ ବୃଦ୍ଧଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ମଦ ଦେବା ଆଳରେ ଠକେଇ ହୋଇଛି। ପୂର୍ବରୁ କମିଶନରେଟ ପୋଲିସରେ ଏହିଭଳି 15ଟି ଅଭିଯୋଗ ବିଭିନ୍ନ ଥାନାରେ ହୋଇଛି। ହେଲେ ପୋଲିସ ଗିରଫ ବଦଳରେ1 ହାତ ବାନ୍ଧି ବସିଛି।

Leave a Reply

Your email address will not be published. Required fields are marked *