ଓଡ଼ିଶାରେ ଗୋଟିଏ ଏନଡିଆରଏଫ ଟିମ୍ ମୁତୟନ,

ଭୁବନେଶ୍ୱର:-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ମଧ୍ୟରେ କେନ୍ଦ୍ର ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ୯ଟି ଓ ଓଡ଼ିଶାରେ ଗୋଟିଏ ଏବଂ ପଶ୍ଚିମବଙ୍ଗରେ ୧୨ଟି ଏନଡିଆରଏଫ ଟିମକୁ ମୁତୟନ କରଯାଇଥିବାବେଳେ ଅନ୍ୟ ୨୯ଟି ଟିମକୁ ଷ୍ଟାଣ୍ଡବାଏରେ ରଖାଯାଇଛି ।କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଆଜି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ସହ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ସମୟରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଗୃହ ସଚିବଙ୍କୁ ଅବଗତ କରାଇଛନ୍ତି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ପ୍ରସ୍ତୁତି କରିଥିବା ନେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅବଗତ କରାଇଛନ୍ତି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲ୍ଲାରେ ୯ଟିଏନଡିଆରଏଫ ଟିମକୁ ମୁତୟନ କରାଯାଇଥିବାବେଳେ ଅନ୍ୟ ୭ଟି ଟିମକୁ ସଜାଗ ରଖାଯାଇଛି । ସେହିପରି ଓଡ଼ିଶାରେ ଗୋଟିଏ ଟିମ୍ ମୁତୟନ ହୋଇଛି ଓ ବାକି ୧୭ଟି ଟିମ୍ ସଜାଗ ହୋଇ ରହିଛନ୍ତି । ପଶ୍ଚିମବଙ୍ଗରେ ୧୨ଟି ଏନଡିଆରଏଫ ଟିମ୍ ମୁତୟନ ହୋଇଛି ଓ ଅନ୍ୟ ୫ଟି ଟିମ୍ ଷ୍ଟାଣ୍ଡବାଏରେ ରହିଛନ୍ତି । ଯଦି ଆବଶ୍ୟକ ପଡ଼େ ଅଧିକ ସଂଖ୍ୟକ ଟିମ୍ ରାଜ୍ୟଗୁଡ଼ିକରେ ମୁତୟନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ସମ୍ଭାବ୍ୟ ବାତ୍ୟାର ଅଧିକ ପ୍ରଭାବ ଓଡ଼ିଶାର ୫ଟି ଜିଲ୍ଲା ବିଶେଷକରି କୋରାପୁଟ, ମାଲକାନଗିରି, ଗଞ୍ଜାମ, ରାୟଗଡ଼ା ଓ ଗଜପତିରେ ପଡ଼ିବାର ଥିବାରୁ ଏସବୁ ଜିଲ୍ଲାରେ ରାଜ୍ୟ ସରକାର ୨୦ଟି ଓଡ୍ରାଫ ଟିମକୁ ମୁତୟନ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *