ପୁଣି ୫ଟି ସହରରେ ଯୁଦ୍ଧବିରତି ଘୋଷଣା କଲା ଋଷିଆ

ୟୁକ୍ରେନ:-ୟୁକ୍ରେନ- ରୁଷିଆ ମଧ୍ୟରେ ଜାରି ରହିଛି ଯୁଦ୍ଧ । ୟୁକ୍ରେନ ମାଟିରେ ଚାଲିଥିବା ଏହି ଭୟଙ୍କର ପରିସ୍ଥିତିରେ ଫସି ରହିଛନ୍ତି ଦେଶ ବିଦେଶର ଅନେକ ଲୋକ । ସେମାନଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ଦେଶର ଚାପ ରୁଷିଆ – ୟୁକ୍ରେନ ଉପରେ ପଡିବାରେ ଲାଗିଛି । ତେଣୁ ମାନବିକତା ଦୃଷ୍ଟିକୋଣରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ୟୁକ୍ରେନର ବିଭିନ୍ନ ସହରରେ ଯୁଦ୍ଧ ବିରତି ଘୋଷଣା କରିଛି ।

ସୋମବାର ପରେ ମଙ୍ଗଳବାର ମଧ୍ୟ ଯୁଦ୍ଧ ବିରାମ ପାଇଁ ଘୋଷଣା କରିଛି ରୁଷିଆ । ଯୁଦ୍ଧ କ୍ଷେତ୍ରରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପୁଣିଥରେ ଯୁଦ୍ଧ ବିରତି କରାଯାଇଛି । ମଙ୍ଗଳବାର ଭାରତୀୟ ସମୟ ଦିନ ସାଢେ ୧୨ଟାରୁ ଯୁଦ୍ଧ ବିରତି ନେଇ ଘୋଷଣା କରାଯାଇଛି । ସୁମି ସମେତ ୫ଟି ସହରରେ ସାମୟିକ ଯୁଦ୍ଧ ବିରାମ ଘୋଷଣା ହୋଇଛି । ଏହାସହ କିଭ, ଖାରକିଭ, ମାରିୟିପୋଲ, ଓ ଚେର୍ଣ୍ଣିହିଭ୍ ସହର ପାଇଁ ଅସ୍ତ୍ର ବିରତି ଘୋଷଣା ହୋଇଛି ।

ସୁମିରେ ବର୍ତମାନ ବି ଶତାଧିକ ଭାରତୀୟ ଫସି ରହିଛନ୍ତି । ଆଉ ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ହୁମାନିଟାରିଆନ୍ କରିଡର ମଧ୍ୟ ପ୍ରସ୍ତୁତ ହୋଇଛି । ସୋମବାର ସୁମିରେ ସାମୟିକ ଯୁଦ୍ଧବିରତି ଘୋଷଣା ହୋଇଥିଲା । ଏହି ସମୟରେ ସୁମିରେ ଫସି ରହିଥିବା ଭାରତୀୟ ୟୁକ୍ରେନ ସୀମାକୁ ଯିବା ପାଇଁ ବସ୍ ରେ ଚଢିଥିଲେ । ହେଲେ ଯୁଦ୍ଧ ବିରତି ସମୟ ଶେଷ ହୋଇ ଯାଇଥିବାରୁ ସେମାନଙ୍କୁ ବସ୍ରୁ ଓହ୍ଲାଇ ଦିଆଯାଇଥିଲା । ଏହାରି ଭିତରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ । ସୁମିରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ଉପରେ ମୋଦି ଗୁରୁତ୍ୱାରୋପ କରିଥିଲେ । ମୋଦିଙ୍କ ଏହି ଉଦ୍ୟମକୁ ବିରୋଧୀ ମଧ୍ୟ ପ୍ରଶଂସା କରିଛନ୍ତି ।

୧୩ ଦିନରେ ପହଂଚିଛି ରୁଷ-ୟୁକ୍ରେନ୍ ଯୁଦ୍ଧ । ୧୩ ତମ ଦିନରେ ରୁଷ ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ମଙ୍ଗଳବାର ଆକ୍ରମଣ ଆହୁରି ଜୋରଦାର କରିଛି ରୁଷ । ଜାଇଡୋମିର ତୈଳ ଡିପୋ ଉପରେ ମିଜାଇଲ ମାଡ କରାଯାଇଛି । ଏହା ପରେ ହୁତୁହୁତ ହୋଇ ଜଳୁଛି ଜାଇଡୋମିର ତୈଳ ଡିପୋ । କେବଳ ଜାଇଡୋମିର ନୁହେଁ, ଚେର୍ନିହିଭ୍ର ତୈଳ ଡିପୋ ଉପରେ ମଧ୍ୟ ରୁଷ ପକ୍ଷରୁ ଆକ୍ରମଣ କରାଯାଇଛି ।

ଯୁଦ୍ଧର ସମାପ୍ତି ପାଇଁ ୟୁକ୍ରେନ ଓ ରୁଷିଆ ଭିତରେ ତୃତୀୟ ବୈଠକ ବସିଛି । ହେଲେ କୌଣସି ନିର୍ଯାସ ବାହାରିନି ।

Leave a Reply

Your email address will not be published. Required fields are marked *