ଫେବୃଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର:-ଆସନ୍ତା ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଏଥିପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନର ବିଧିବଦ୍ଧ କାର୍ଯ୍ୟସୂଚୀ ଘୋଷଣା କରିବା ସହ ନିର୍ବାଚନ ଆଦର୍ଶ ଆଚରଣ ବିଧି ଆଜିଠୁ ରାଜ୍ୟବ୍ୟାପୀ ଲାଗୁ ହେଲା ବୋଲି  କହିଛନ୍ତି। ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃୟାରୀ ୧୬, ୧୮,୨୦,୨୨ ଓ ୨୪ତାରିଖରେ ହେବ। ସେହିପରି ଫେବୃୟାରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ। ଭୋଟଗଣତି ସମାପ୍ତ ସହ ଫେବୃୟାରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ।

ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଇ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ । ଏଥିପାଇଁ ସ୍ୱତନ୍ତ୍ର  ଗାଇଡଲାଇନ୍ ନିର୍ବାଚନ କମିଶନରଙ୍କ ଦ୍ୱାରା ଦିଆଯାଇଛି । ଦୁଇଟି ପର୍ଯ୍ୟାୟରେ ରାଜ୍ୟ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ ଓ ପୁଲିସ ଡିଜିଙ୍କ ସହ ଆଲୋଚନା ପରେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରି ନିର୍ବାଚନ କରିବାରେ କୌଣସି ସମସ୍ୟା ନାହିଁ ବୋଲି କମିଶନ ଅନୁଭବ କରିଛନ୍ତି ।

ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରର ସଭାସମିତି, ବାଇକ ରାଲି, ପ୍ରଥପାନ୍ତ ସଭା ଆଦି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି । କେବଳ ସର୍ବାଧିକ ୫ଜଣଙ୍କୁ ଧରି ପ୍ରାର୍ଥୀ ଡୋରଟୁ ଡୋର ପ୍ରଚାର କରିପାରିବେ । କୋଭିଡର ଉଭୟ ଡୋଜ୍ ଟିକା ନେଇଥିବା ଅବା ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ହିଁ ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ ।

ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତରେ ମୋଟ ୯୧୯୧୩ଜଣ ୱାର୍ଡମେମ୍ବର, ୬୭୯୪ଜଣ ସରପଂଚ, ୬୭୯୩ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ତେବେ ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ପଂଚାୟତରେ ସରପଂଚ ଓ ୱାର୍ଡମେମ୍ବର ନିମନ୍ତେ ନିର୍ବାଚନ ହେବ ନାହିଁ ।

ଏହି ତ୍ରିସ୍ତରୀୟ ପଞ୍ଚାୟତ ପଞ୍ଚାୟତନିର୍ବାଚନ ପାଇଁ ଆସନ୍ତା ଗୁରୁବାର ଅର୍ଥାତ୍ ଜାନୁୟାରୀ ୧୩ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ନିର୍ବାଚନ ଅଧିକାରୀମାନେ ପ୍ରକାଶ କରିବେ । ନାମାନଙ୍କ ପତ୍ର ଦାଖଲର ତାରିଖ ଫେବୃୟାରୀ ୧୭ରୁ ୨୧ତାରିଖ ପର୍ଯ୍ୟନ୍ତ ହେବ । ୨୨ତାରିଖରେ ନାମାଙ୍କନ ପତ୍ର ଯାଂଚ, ୨୫ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର କରିହେବ । ସେହି ୨୫ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଭୋଟଗ୍ରହଣ ଫେବୃୟାରୀ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ହେବ ।

Leave a Reply

Your email address will not be published. Required fields are marked *