ମାର୍କେଟ ବିଲ୍ଡିଂର ଉଠା ଦୋକାନୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର:- ମାର୍କେଟ ବିଲ୍ଡିଂରେ ଦୋକାନ ଉଚ୍ଛେଦ ପରେ ଦୋକାନୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟବସାୟୀଙ୍କ ନାଁ ଅଜିତ ସାହାଣୀ । ଅଜିତ ଭୁବନେଶ୍ୱର ବଡ଼ଗଡ଼ ଥାନା ଅନ୍ତର୍ଗତ ପରିବାର ସହ ରହୁଥିବା ଏକ ଘରେ ଲୁଗା ଶାଢ଼ିରେ ଫାସି ଦେଇ ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଅଜିତ ସାହାଣୀ ବିହାର ରାଜ୍ୟର ବାସିନ୍ଦା ବୋଲି ଜଣାଯାଇଛି ।
୨୦ବର୍ଷ ହେଲା ସେ ମାର୍କେଟ ବିଲ୍ଡିଂରେ ବେଡସିଟ୍ ବ୍ୟବସାୟ କରିଆସୁଥିଲେ । ଭୁବନେଶ୍ୱର ରତ୍ନାକର ବାଗ ନିକଟ ରାଧିକା ଟାଓ୍ଵାରରେ ରହଥିଲେ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଥିବା ଜଣାଯାଇଛି । ୫ ଦିନ ତଳେ ତାଙ୍କ ଦୋକାନ ଉଚ୍ଛେଦ କରାଯାଇଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ, ସ୍ଥାୟୀ ଦୋକାନମାନେ ବିଏମ୍ସି ଠାରୁ ଏକ ଲିଖିତ ପ୍ରାପ୍ତିପତ୍ର ପାଇଥିଲେ ।
ଯେଉଁଥିରେ ଉଲ୍ଲେଖ ଥିଲା କି ମାର୍କେଟ ବିଲ୍ଡିଂ ଭିତରେ ଆଉ କେବେ କୌଣସି ଉଠା ଦୋକାନୀ ବସି ବ୍ୟବସାୟ କରି ପାରିବେ ନାହିଁ । ଅଜିତ ବ୍ୟବସାୟ ପାଇଁ ୧୦ଲକ୍ଷ ଟଙ୍କା ଧାରକରଜ କରିଥିଲେ । ଦୋକାନ ବନ୍ଦ ହୋଇଯିବା ଆଶଙ୍କା ଅଜିତଙ୍କ ମାନସିକ ଚାପର କାରଣ ହୋଇଥିଲା । ଗୋଟିଏ ପଟେ ବ୍ୟବସାୟ ପାଇଁ ଲକ୍ଷାଧିକ ଟଙ୍କା କରଜ ଓ ଅନ୍ୟ ପଟରେ ପରିବାର ପ୍ରତିପୋଷଣର କଥା ଅଜିତଙ୍କୁ ଆତ୍ମହତ୍ୟା କରିଥିବା ପାଇଁ ବାଧ୍ୟ କରିଥିବା ପରିବାର ଲୋକେ ଗଣମାଧ୍ୟମ ଆଗରେ କହିଛନ୍ତି ।