ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା, ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ହେବ ମତଦାନ, ମାର୍ଚ୍ଚ ୧୦ରେ ଫଳାଫଳ
ନୂଆଦିଲ୍ଲୀ: –ଦେଶର ୫ଟି ରାଜ୍ୟ–ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । କରୋନାର ଦ୍ରୁତ ସଂକ୍ରମଣ ବୃଦ୍ଧି ଭିତରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଓ ମାର୍ଚ୍ଚ ୧୦ରେ ଫଳାଫଳ ଆସିବ । ତେବେ ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଠାରୁ ୭ ଗୁଣା ବେଗରେ ବ୍ୟାପୁଥିବା ବେଳେ ଆଶ୍ଚର୍ଯ୍ୟ ଜନକ ଭାବେ ନିର୍ବାଚନ କମିସନ ଏହାକୁ ଏତେ ଗୁରୁତ୍ୱ ଦେଇ ନାହାନ୍ତି ।
ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ପାଇଁ ବିଧାନସଭା ନିର୍ବାଚନର ତାରିଖ ଆସିଛି । ଜାତୀୟ ନିର୍ବାଚନ କମିସନ କହିଛନ୍ତି କେବଳ ୟୁପିରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ସେହିପରି ମଣିପୁରରେ ଦୁଇଟି ପର୍ଯ୍ୟାୟ ଓ ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହେବ ।
ଉତ୍ତରପ୍ରଦେଶ
- ୧୪ ମେ ୨୦୨୨ରେ ସରୁଛି ବିଧାନସଭାର କାର୍ଯ୍ୟକାଳ
- ୪୦୩ ଆସନ ପାଇଁ ଭୋଟ ଗ୍ରହଣ କରାଯିବ
- ୭ଟି ପର୍ଯ୍ୟାୟରେ ମତଦାନ ହେବ
- ପ୍ରଥମ ପର୍ଯ୍ୟାୟ ଫେବୃଆରୀ-୧୦ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ -ଫେବୃଆରୀ ୧୪, ତୃତୀୟ ପର୍ଯ୍ୟାୟ – ଫେବୃଆରୀ ୨୦, ଚତୁର୍ଥ ପର୍ଯ୍ୟାୟ- ଫେବୃଆରୀ ୨୩ -, ପଞ୍ଚମ ପର୍ଯ୍ୟାୟ-ଫେବୃଆରୀ ୨୭ , ମାର୍ଚ୍ଚ ୩ ତାରିଖରେ ଷଷ୍ଠ ଓ ମାର୍ଚ୍ଚ ୭ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ
ମଣିପୁର
- ୧୯ ମାର୍ଚ୍ଚ ୨୦୨୨ରେ ସରୁଛି ବିଧାନସଭାର କାର୍ଯ୍ୟକାଳ
- ୬୦ ଆସନ ପାଇଁ ହେବ ମତଦାନ
- ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ
- ଫେବୃଆରୀ ୨୭ ଓ ମାର୍ଚ୍ଚ ୩ ତାରିଖରେ ମତ ସାବ୍ୟସ୍ତ କରିବେ ଭୋଟର
ଉତ୍ତରାଖଣ୍ଡ
- ମାର୍ଚ୍ଚ ୨୩ ତାରିଖ ୨୦୨୨ରେ ସରିବ ବିଧାନସଭାର କାର୍ଯ୍ୟକାଳ
- ୭୦ ବିଧାନସଭା ଆସନ ପାଇଁ ହେବ ଭୋଟ
- ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖରେ ମତଦାନ
ଗୋଆ
- ମାର୍ଚ୍ଚ ୧୫ ତାରିଖରେ ୨୦୨୨ରେ ସରୁଛି ବିଧାନସଭାର କାର୍ଯ୍ୟକାଳ
- ୪୦ବିଧାନସଭା ଆସନ ପାଇଁ ହେବ ମତଦାନ
- ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖରେ ମତଦାନ
ପଞ୍ଜାବ
- ମାର୍ଚ୍ଚ ୨୭ ତାରିଖ ୨୦୨୨ରେ ସରୁଛି ବିଧାନସଭାର କାର୍ଯ୍ୟକାଳ
- ୧୧୭ ଆସନ ପାଇଁ ମତଦାନ ହେବ
- ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ ତାରିଖରେ ମତଦାନ
ପୂର୍ବରୁ କରୋନା ସଂକ୍ରମଣ ବଢୁଥିବାରୁ ବିଧାନସଭା ନିର୍ବାଚନ ଘୁଞ୍ଚାଇବା ସପକ୍ଷରେ ମତ ଦେଇଥିଲେ ଦେଶର ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞ । କିନ୍ତୁ କୋଭିଡ କଟକଣା ମାନି ସମସ୍ତଙ୍କୁ ସୁରକ୍ଷିତ ରଖି ନିର୍ବାଚନ କରିବାକୁ ନିଷ୍ପତି ନେଇଛନ୍ତି ନିର୍ବାଚନ କମିସନ । ଅନ୍ୟପଟେ ଦେଶରେ ଦ୍ରୁତ ସଂକ୍ରମଣକୁ ଆଖିରେ ରଖି ଜାନୁଆରୀ ୧୫ତାରିଖ ଯାଏଁ ପ୍ରଚାର ଉପରେ କଟକଣା ଜାରି କରାଯାଇଛି । ପ୍ରଚାର ସଭା, ପଦଯାତ୍ରା, ବାଇକ-ସାଇକେଲ ଶୋଭାଯାତ୍ରା ଉପରେ ରୋକ ଲଗାଯାଇଛି । ତେବେ ଜାନୁଆରୀ ୧୫ ପରେ କରୋନା ସ୍ଥିତି ସମୀକ୍ଷା କରି ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ସୂଚନା ଦିଆଯାଇଛି । ଏହି ସମୟରେ ଭର୍ଚୁଆଲ, ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କୁ ପରାମର୍ଶ ଦିଆଯାଇଛି ।
ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ରାତି ୮ଟା ପରେ ନିର୍ବାଚନ ପ୍ରଚାର ବନ୍ଦ, ଘର ଘର ବୁଲି ପ୍ରଚାର କରିବା ପାଇଁ କେବଳ ୫ ଜଣଙ୍କୁ ଅନୁମତି ଦିଆଯାଇଛି ।