ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ: ବାରହା ପାଇଁ ଫାସ ବସାଇଥିଲା ଭାଇ, ସେହି ଫାସରେ ଚାଲିଗଲା ଭଉଣୀର ଜୀବନ

କୋରପୁଟ:- କୋରପୁଟ ଜିଲ୍ଲା ବୋରିଗୁମା ନିକଟ ଜଙ୍ଗଲକୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ । ପୂର୍ବରୁ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ହେଲେ ପୁଲିସ ତଦନ୍ତ କରି ଯୁବତୀଙ୍କ ମୃତ୍ୟୁ ପଛର ମର୍ମନ୍ତୁଦ ସତ ସାମ୍ନାକୁ ଆଣିଛି । ପୁଲିସ ସୂଚନା ଅନୁସାରେ ବାରହା ପାଇଁ ଭାଇ ବିଛାଇ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭଉଣୀର ମୃତ୍ୟୁ ହୋଇଛି ଆଉ ମୃତ୍ୟୁକୁ ଭିନ୍ନ ରୂପ ଦେବା ପାଇଁ କାଜୁ ଜଙ୍ଗଲରେ ଭଉଣୀର ମୃତଦେହକୁ ଫିଙ୍ଗି ଦେଇଥିଲା ଭାଇ । ତେବେ ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା କାଜୁ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଅତି ହୃଦୟ ବିଦାରକ । କୋରାପୁଟ ଏସପି ବରୁଣ ଗୁଣ୍ଠାପାଲିଙ୍କ କହିବା ଅନୁସାରେ, ଯୁବତୀଙ୍କ ଭାଇ ବାରହା ଦାଉରୁ ଫସଲ ରକ୍ଷା କରିବା ପାଇଁ ଜମି ଚାରିପଟେ ୧୧ କେଭି ବିଦ୍ୟୁତ୍ ତାର ବିଛାଇ ଥିଲେ । ଭଉଣୀ ସୁଭଦ୍ରା ଅମାନ୍ୟତ ତାହା ଜାଣିନପାରି, ସେହି ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଯାଇଥିଲେ । ତେଣୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତେବେ ସକାଳୁ ମୃତ ଯୁବତୀଙ୍କ ଭାଇ ଓ ତାଙ୍କ ସାଙ୍ଗମାନେ ମୃତଦେହକୁ ନେଇ ନିକଟସ୍ଥ କାଜୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ଏବଂ ମୃତଦେହକୁ ଉଲଗ୍ନ କରି ପକାଇ ଏହାକୁ ହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ତେବେ ଘଟଣାସ୍ଥଳରୁ ମିଳିଥିବା ଯୁବତୀଙ୍କ ମୋବାଇଲ୍ ପୁରା ଘଟଣା ଉପରୁ ପର୍ଦ୍ଦା ହଟାଇ ଦେଇଛି । ଏହା ହତ୍ୟା ନୁହେଁ ବରଂ ଯୁବତୀ ଜଣଙ୍କ ରାତିରେ ପ୍ରମିକଙ୍କୁ ଦେଖା କରିବାକୁ ଯାଇ ଭାଇ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ମୃତ୍ୟୁ ବରଣ କରିଥିବା ପୁଲିସ କହିଛି । ଏହି ଘଟଣା ଡିସେମ୍ବର ୩୦ ତାରିଖ ରାତିରେ ଘଟିଥିବା ବେଳେ ମୃତଦେହ ମିଳିବାର ୭ ଦିନ ପରେ ଯୁବତୀଙ୍କ ଭାଇ ସମେତ ୪ ଜଣଙ୍କୁ ଗିରଫ କରିଛି । ତେବେ ଆହୁରି ୪ ଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ବୋରିଗୁମା ପୁଲିସ ଉଦ୍ୟମ ଚଳାଇଛି ।

Leave a Reply

Your email address will not be published. Required fields are marked *