ଡିମ୍ପଲଙ୍କୁ ଶ୍ୱଶୁର ଘରେ ପ୍ରବେଶ କଲେ ପ୍ରଶାସନିକ ଅଧିକାରୀ
ବ୍ରହ୍ମପୁର: ବାଦ ବିବାଦ ପରେ ଶେଷରେ ଶ୍ୱଶୁର ଘରେ ପ୍ରବେଶ କଲେ ଡିମ୍ପଲ । ଦିନ ସମୟରେ ତପସ୍ୱିନୀ ଘରେ ରହିବା ପ୍ରସଙ୍ଗ ଠିକଠାକ୍ ଥିବାବେଳେ ଅପରାହ୍ମରେ ବିଗିଡିଯାଇଥିଲା ସ୍ଥିତି । କୋର୍ଟ କେବଳ ମାସିକ ୧୭ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ଘରେ ରହିବା ନେଇ କୌଣସି ଅନୁମତି ନଥିବା କହିଥିଲେ ଡିମ୍ପଲଙ୍କ ଶ୍ୱଶୁର । ସେପଟେ ଗ୍ରୀଲରେ ତାଲା ପକାଇଦେଇଥିଲେ ପରିବାର ଲୋକେ । ଯାହା ଘଟଣାକୁ ପୁଣି ଏକ ଜଟିଳ ମୋଡରେ ପହଁଚାଇଦେଇଥିଲା । ଏନେଇ ପୁନଶ୍ଚ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ତପସ୍ୱିନୀ ।
ରାତି ପ୍ରାୟ ୯ଟା ପରେ ପ୍ରଶାସନିକ ଅଧିକାରୀ ବ୍ରହ୍ମାନଗର ଅଞ୍ଚଳରେ ପହଁଚିଥିଲେ । ଏହାପରେ SDPO, ସ୍ଥାନୀୟ ଆଇଆଇସି, ତହସିଲଦାର ଓ ପ୍ରୋଟେକ୍ସନ ଅଫିସର ପହଁଚି ଡିମ୍ପଲଙ୍କୁ ଘର ଭିତରକୁ ଯିବା ନେଇ ଅନୁମତି ଦେଇଥିଲେ । ତେବେ ଘରେ ତାଲା ପକାଇଥିବା ଡିମ୍ପଲଙ୍କ ଶ୍ୱଶୁର ଘର ତାଲା ଖୋଲିଥିଲେ । ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଡିମ୍ପଲ ଗୃହ ପ୍ରବେଶ କରିଥିଲେ ।
ଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଘରର ତାଲା ଖୋଲି ଡିମ୍ପଲଙ୍କୁ ଘରକୁ ନେଇଛନ୍ତି ଶ୍ୱଶୁର ପ୍ରମୋଦ ସାହୁ । ଏହି ସମୟରେ ଶ୍ୱଶୁରଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି ବୋହୂ । ସେପଟେ ନଡିଆ ବାଡାଇ ଘର ଭିତରେ ପ୍ରବେଶ କରିଛନ୍ତି ତପସ୍ୱିନୀ ଦାସ ଓରଫ ଡିମ୍ପଲ । ଏବେ ବାରଣ୍ଡାରୁ ଘର ଭିତରକୁ ଉଠିଛି ଡିମ୍ପଲଙ୍କ ପୁଟୁଳି । ଡିମ୍ପଲଙ୍କ ମାଆ ଘର ଭିତରେ ଝିଅର ଘର ସଜାଡୁଛନ୍ତି । ଗୃହ ପ୍ରବେଶ ପରେ ଡିମ୍ପଲଙ୍କ ପରିବାରରେ ଖେଳି ଯାଇଛି ଖୁସିର ଲହରି । ଡିମ୍ପଲ ସତ୍ୟରେ ଥିଲେ ଏବଂ ଆଜି ଜୟ ହୋଇଛି ବୋଲି ତାଙ୍କ ଓକିଲ କହିଛନ୍ତି ।
ସୁମିତଙ୍କ ଓକିଲଙ୍କ କହିବା ଅନୁଯାୟୀ ଘରେ ରହିବା ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି । `କୋର୍ଟ କେବଳ ଡିମ୍ପଲଙ୍କୁ ମାସିକ 17ହଜାର ଟଙ୍କା ଦେବାକୁ କହିଛନ୍ତି’ । ଏଣୁ ଘରେ ଡିମ୍ପଲଙ୍କୁ ରଖିବାକୁ ସୁମିତଙ୍କ ପରିବାର ବାଧ୍ୟ ନୁହଁନ୍ତି ବୋଲି ସୁମିତଙ୍କ ଓକିଲ କହିଛନ୍ତି ।