ମୋଦି ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହେଲେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ। ଆଜି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶ୍ରୀ ବୈଷ୍ଣବ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଅଫିସର ଥିଲେ। ପରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ।
ଶ୍ରୀ ବୈଷ୍ଣବ ଆଇଏଏସ୍ ଅଫିସର ଭାବେ ବାଲେଶ୍ୱର ଓ କଟକର ଜିଲ୍ଲାପାଳ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ପିଏମଓରେ ଉପସଚିବ ଭାବେ ଅବସ୍ଥାପିତ ହୋଇଥିଲେ। ଯେଉଁ ସମୟରେ ନିଆଯାଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସିଧାସଳଖ ରହିଥିଲା ତାଙ୍କର ସଂପୃକ୍ତି। ଏମିତିକି ବାଜପେୟୀ ପଦ ଛାଡିବା ପରେ ତାଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାମ କରିଥିଲେ ଅଶ୍ୱିନୀ। ତେବେ ପରେ ସେ ପ୍ରାଶାସନିକ ସେବାରୁ ଅବ୍ୟାହତି ନେଇ କର୍ପୋରେଟ କ୍ଷେତ୍ରରେ ଯୋଗ ଦେଇଥିଲେ। ଜି.ଏ. ଟ୍ରାନ୍ସପୋର୍ଟ ଓ ସିମେନ୍ସ ଭଳି କମ୍ପାନୀର ଉଚ୍ଚ ପଦବୀରେ ବେଶ୍ ଦକ୍ଷତାର ସହ ଦାୟିତ୍ୱ ସଂପାଦନ କରିଥିଲେ। ବ୍ୟୁରୋକ୍ରାଟରୁ ମନ୍ତ୍ରୀ ହୋଇଥିବା ଅଶ୍ୱିନୀଙ୍କଠାରୁ ଅନେକ କିଛି ଆଶା ରଖିଛି ଓଡ଼ିଶା।