ସଙ୍କଟମୋଚକ ନବୀନ, ବାତ୍ୟା ବେଳେ ବି ହେଲା ଅକ୍ସିଜେନ୍ ପରିବହନ

ଭୁବନେଶ୍ୱର:-ଗୋଟିଏ ପଟେ ପ୍ରକୃତିର ନାହିଁ ନଥିବା କୋପ, ଅନ୍ୟପଟେ ଦୃଢ଼ ଇଛାଶକ୍ତି । ସାମୁଦ୍ରିକ ଝଡ଼ ‘ୟସ୍‌’ ସ୍ଥଳଭାଗ ଛୁଇଁଲା ବେଳକୁ ଜୀବନ ମରଣର ଲଢ଼େଇ ସମୟରେ ବି ଓଡ଼ିଶା ତା ଦାୟିତ୍ୱରୁ ପଛକୁ ହଟିନି । ଦେଶର କରୋନା ରୋଗୀଙ୍କ ପାଇଁ ଅମ୍ଳଜାନ ଯୋଗାଣ ଥିଲା ସମ୍ପୂର୍ଣ୍ଣ ସ୍ୱାଭାବିକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷାରେ ଆମ ପାଇଁ ପ୍ରତିଟି ମଣିଷ ଜୀବନ ମୂଲ୍ୟବାନ । ତେଣୁ ଭୟଙ୍କର ୟାସ୍‌ ଓଡ଼ିଶାରେ ତାଣ୍ଡବ ରଚୁଥିଲା ବେଳେ ହାଇଦ୍ରାବାଦ, ବିଶାଖାପାଟନମ୍‌କୁ ଦୌଡ଼ୁଥିଲା ଅକ୍ସିଜେନ୍‌ ଟ୍ୟାଙ୍କର । ଓଡ଼ିଶା ବିପଦ ମୁହଁରୁ ବର୍ତ୍ତିବାକୁ ସଂଗ୍ରାମ କରୁଥିଲା ବେଳେ ଅନ୍ୟ ରାଜ୍ୟରେ କୋଭିଡ ରୋଗୀର ଜୀବନ ବଞ୍ଚାଇବାକୁ ଅକ୍ସିଜେନ୍‌ ଯୋଗାଣରେ ସାମାନ୍ୟତମ ବାଧା ଉପୁଜିନଥିଲା । ନବୀନଙ୍କ ମାନବବାଦୀ ଚିନ୍ତାଧାରାକୁ ନେଇ ଜାତୀୟ ଗଣମାଧ୍ୟମ ତାଙ୍କ ପ୍ରଶଂସାରେ ଶତମୁଖ । ବୋଝ ଉପରେ ନଳିତା ବିଡ଼ା ଭଳି କରୋନା ମହାମାରୀରେ ଓଡ଼ିଶା ଛଟପଟ ହେଉଥିଲା ବେଳେ ମାଡିଆସିଲା ବାତ୍ୟା ୟସ୍‌ ।

ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲା କୌଣସି ପରିସ୍ଥିତିରେ କରୋନା ମୁକାବିଲା କିମ୍ବା ସ୍ୱାସ୍ଥ୍ୟସେବାରେ କିଛି ବି ଅବହେଳା କରାଯିବନି । ଦେଶର ଅନ୍ୟ ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଣ ସ୍ୱାଭାବିକ ରହିବ । ଝଡ଼ବାତ୍ୟା ସତ୍ତେ୍ୱ ଅନୁଗୁଳ ଓ ଯାଜପୁରରୁ ଯାଇଥିଲା ଅକ୍ସିଜେନ୍‌ ଟ୍ୟାଙ୍କର । ରାଜ୍ୟର ସବୁଠି କରୋନା ଚିକିତ୍ସା ସେବା ସ୍ୱାଭାବିକ ଥିଲା । ଗୋଟିଏ ପଟେ ଏନଡିଆରଏଫ୍‌, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଉଦ୍ଧାର ଓ ପୁନରୁଦ୍ଧାର କାମରେ ବ୍ୟସ୍ତ ଥିଲା ବେଳେ ଅନ୍ୟପଟେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା ଚିକିତ୍ସା ସେବାରେ ବ୍ୟସ୍ତ ଥିଲେ । ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ସାମାନ୍ୟତମ ଅବହେଳା ଦେଖିବାକୁ ମିଳିନଥିଲା । ପୁଲିସ ଏସକର୍ଟରେ ଅକ୍ସିଜେନ୍‌ ଟ୍ୟାଙ୍କର ମଧ୍ୟ ରାସ୍ତାରେ ଦୌଡ଼ୁଥିଲା । ଧାର୍ଯ୍ୟ ସୂଚୀ ଅନୁସାରେ ଯେଉଁ ରାଜ୍ୟକୁ ଅକ୍ସିଜେନ୍‌ ଯିବା କଥା ବିନା ବାଧାରେ ଯାଇଛି । ଆମ ରାଜ୍ୟର ବିପତ୍ତି ପାଇଁ ଅନ୍ୟ ରାଜ୍ୟର ରୋଗୀମାନଙ୍କ ଜୀବନକୁ ଅଣଦେଖା କରାଯାଇନି ।

ରାଷ୍ଟ୍ରନାୟକର ମନୋଭାବ ନେଇ ପ୍ରଚାର ପ୍ରସାର ନକରି ନବୀନ ଯେଉଁଭଳି ଅନ୍ୟ ରାଜ୍ୟଗୁଡ଼ିକୁ ଅକ୍ସିଜେନ୍‌ ଯୋଗାଣ ସହ ସହଯୋଗର ହାତ ବଢ଼ାଇଛନ୍ତି ତାହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରତିଷ୍ଠିତ ସାମ୍ବାଦିକ, ଜଣାଶୁଣା ଶିଳ୍ପପତିମାନେ ନବୀନଙ୍କ ଏ ନିରବ ଅଥଚ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଛନ୍ତି । ଗଣମାଧ୍ୟମ, ସୋସିଆଲ ମିଡିଆରେ ନିଜକୁ ବିଜ୍ଞାପିତ ନକରି ଦେଶର ଏଭଳି ସଂକଟ କାଳରେ ନବୀନ ସଂକଟମୋଚକ ଭଳି ଉଭା ହୋଇଛନ୍ତି ବୋଲି ଜାତୀୟସ୍ତରର ଗଣମାଧ୍ୟମ ନବୀନଙ୍କୁ ଚିତ୍ରଣ କରୁଛନ୍ତି । ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କାଳରେ ନବୀନ ଅନ୍ୟ ରାଜ୍ୟକୁ ଓଡ଼ିଶା ଅକ୍ସିଜେନ ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନିଜ ପ୍ରତିଶ୍ରୁତି ରକ୍ଷା କରିଥିବା ନବୀନ ୟାସ୍‌ ବିପତ୍ତି ବେଳେ ମଧ୍ୟ ପଛକୁ ହଟିନାହାନ୍ତି ।

Leave a Reply

Your email address will not be published. Required fields are marked *