ପୁରୀ ପୁଲିସର ଗୁଣ୍ଡାରାଜ: ଧରିତ୍ରୀର ସାମ୍ବାଦିକଙ୍କୁ ପିଟିଲେ
ଭୁବନେଶ୍ୱର:- ଏଭଳି ମହାମାରୀ ସମୟରେ ପୁଲିସ ଲୋକଙ୍କୁ ସେବା ଯୋଗାଇ ପ୍ରଶଂସିତ ହେଉଛନ୍ତି । ଏପରିକି ଗରିବଙ୍କୁ ଖାଇବାକୁ ଦେବା ସହ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କ ସମସ୍ୟା ବୁଝୁଛି । କିନ୍ତୁ ପୁଲିସ ବିଭାଗର କେତେକ ହାତ ଗଣତି ପୁଲିସ ପାଇଁ ବଦନାମ ହେଉଛି ପୁରା ବିଭାଗ । କେଉଁଠି ନିରୀହ ଲୋକଙ୍କୁ ମାସ୍କ ହେଲମେଟ୍ ନାଁରେ ପିଟୁଛନ୍ତି ତ, ଆଉ କେଉଁଠି ମିଛ ଅଭିଯୋଗରେ ଉଠାଇ ନେଇ ଥାନାରେ ଥାର୍ଡ ଡୀଗ୍ରୀ ଦେଉଛି । ଏହିପରି ପୁରୀ ପୁଲିସର ଗୁଣ୍ଡାରାଜ ବିଜ୍ ରାସ୍ତାରେ ଦେଖିବାକୁ ମିଳିଛି । ପୂର୍ବରୁ ହାଜତମୃତ୍ୟୁ ମାମଲାରେ ବିବାଦକୁ ଆସିଥିଲା ପୁରୀ ପୁଲିସ । ଜଣେ ଯୁବକଙ୍କୁ ଥାନାକୁ ନେଇ ପିଟିପିଟି ମାରି ଦେଇଥିଲେ । ଯାହାକୁ ନେଇ ବିଧାନସଭାରେ ମଧ୍ୟ ତୁମ୍ବିତୋଫାନ ହୋଇଥିଲା । ଶେଷରେ ଗୃହବିଭାଗ ତୁରନ୍ତ ତତ୍କାଳୀନ ପୁରୀ ଏସ୍ପି ଅଖିଳେଶ୍ୱର ସିଂକୁ ବଦଳି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପୁଣି ପୁରୀ ପୁଲିସ ଉତ୍ପାତ ବଢିଗଲାଣି । ସାଧାରଣ ଲୋକଙ୍କ କଥା ଛାଡନ୍ତୁ, ସାମ୍ବାଦିକଙ୍କୁ ମଧ୍ୟ ସେମାନେ ଛାଡୁନାହାନ୍ତି । ଯାହାକୁ ପାଉଛନ୍ତି ଗୋଡ଼ାଇ ପିଟୁଛନ୍ତି । ବୁଧବାର ସକାଳେ ପୁରୀ କୁମ୍ଭାରପଡ଼ା ପୁଲିସ ପ୍ରଥମେ ଜଣେ ପରିବାର ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପୁଲିସ ମାଡ଼ରେ ବ୍ୟବସାୟୀ ଜଣଙ୍କ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏହି ଘଟଣାକୁ ନେଇ ସେଠାରେ ଅନ୍ୟ ବ୍ୟବସାୟୀ ଘୋର ବିରୋଧ କରିଥିଲେ । ଯେଉଁଥି ପାଇଁ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଧରୀତ୍ରୀର ପୁରୀ ପ୍ରତିନିଧି ଦତ୍ତାତ୍ରେୟ ନାୟକ ସେଠାରେ ପହଞ୍ଚି ଖବର ସଂଗ୍ରହ କରିଥିଲେ । ହେଲେ ତାଙ୍କୁ ପୁଲିସ କାବୁ କରିବା ପରେ ସମସ୍ତ ପୁଲିସ କର୍ମଚାରୀ ଘେରି ପଡ଼ି ନିର୍ଘାତ ମାଡ଼ କରିଥିଲେ । ଏତିକିରେ ପୁଲିସର ରାଗ ଶାନ୍ତ ହୋଇନଥିଲା । ଦତ୍ତାତ୍ରେୟଙ୍କୁ ପୁଲିସ ଭ୍ୟାନରେ ବସାଇଥିଲେ । ସେଠାରେ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ ମଧ୍ୟ କେହି କିଛି କହିନଥିଲେ । କେବଳ ଦେଖଣାହାରି ହୋଇ ହାତ ବାନ୍ଧି ଛିଡ଼ା ହୋଇଥିଲେ । ଶେଷରେ କେତେଜଣ ସାମ୍ବାଦିକଙ୍କ ହସ୍ତେକ୍ଷପ ପରେ ପୁଲିସ ତାଙ୍କୁ ଛାଡ଼ିଥିଲା । ହେଲେ ଦତ୍ତାତ୍ରେୟ ରାସ୍ତାରେ ଧାରଣାରେ ବସିବା ସହ ପୁଲିସ ଏଭଳି ମାଡ଼ ଅଭିଯୋଗରେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।