ଚିନ୍ତା ବଢ଼ାଇଲା ବ୍ଲାକ୍‌ ଫଙ୍ଗସ୍‌, ସରକାର ଗଢ଼ିଲେ ବିଶେଷଜ୍ଞ କମିଟି

ଭୁବନେଶ୍ୱର:-ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗ ଚିନ୍ତା ବଢ଼ାଇଛି। ବ୍ଲାକ୍ ଫଙ୍ଗସ୍ ରୋଗର ଶୀଘ୍ର ଚିହ୍ନଟ ଓ ଏହାର ମୁକାବିଲା ପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ ନିମନ୍ତେ ରାଜ୍ୟ ସରକାର ଆଜି ୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏହାସହିତ ପ୍ରତ୍ୟେକ ସରକାରୀ ମେଡିକାଲ କଲେଜରେ ବ୍ଲାକ୍ ଫଙ୍ଗସ୍ ରୋଗର ଚିକିତ୍ସା ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିବା ସହ ସବୁ ଘରୋଇ ଓ ସରକାରୀ ହସ୍ପିଟାଲ ନିୟମିତ ଭାବେ ଏହି ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଆଡମିଶନ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟକୁ ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ କୋଭିଡ୍ ରୋଗୀଙ୍କ ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଭାବେ ଏସସିବି ମେଡ଼ିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିରୁପମା ଚଇନି ଥିବାବେଳେ ସଦସ୍ୟ ଆବାହକ ଭାବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ରହିଛନ୍ତି। ଏସସିବି ମେଡିକାଲ କଲେଜର ଅନ୍ୟ ୫ଜଣ ପ୍ରଫେସରଙ୍କୁ ଏହି କମିଟିର ସଦସ୍ୟ ରଖାଯାଇଛି। ଏହି କମିଟି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହେଉଥିବା ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ତଦାରଖ କରିବା ସହ ଏହି ରୋଗକୁ ତୁରନ୍ତ ଚିହ୍ନଟ ଓ ନିରାକରଣ ପାଇଁ ଏକ ଗାଇଡଲାଇନ୍ ପ୍ରସ୍ତୁତ କରିବ।ଏହାସହିତ ରାଜ୍ୟର ସମସ୍ତ ସରକାରୀ ମେଡିକାଲ ମଧ୍ୟ ଏକ ଏକ୍ସପର୍ଟ କମିଟି ଗଠନ କରିବେ। କମିଟିରେ ମେଡିସିନ୍ କିମ୍ବା ପଲମୋନାରୀ ମେଡିସିନ, ଡର୍ମଟୋଲୋଜି, ଇଏନଟି, ଓପଥୋମୋଲୋଜି ଓ ନ୍ୟୁରୋଲୋଜି ବିଭାଗର ଡାକ୍ତରଙ୍କୁ ସାମିଲ କରାଯିବ। ସେମାନେ ମିଳିତ ଭାବେ ଏହି ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା କରିବେ । କରୋନାରୁ ସୁସ୍ଥ ହୋଇଥିବା ଓ ଆରଟି-ପିସିଆର ନେଗେଟିଭ୍ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଇଏନଟି ଓ ଓପଥୋମୋଲୋଜି ବିଭାଗରେ ଚିକିତ୍ସା ସୁବିଧା କରାଯିବ। ଯଦି କୋଭିଡ୍ ସଂକ୍ରିୟ ସଂକ୍ରମିତଙ୍କ ଶରୀରରେ ବ୍ଲାକ୍ ଫଙ୍ଗସ୍ ରୋଗ ଚିହ୍ନଟ ହୁଏ ତା’ହେଲେ ସମ୍ପୃକ୍ତ ରୋଗୀଙ୍କୁ ଇଏନଟି ଓ ଓପଥୋମୋଳୋଜି ଡାକ୍ତରଙ୍କ ସହଯୋଗରେ ଚିକିତ୍ସା କରାଯିବ। ସମସ୍ତ ସରକାରୀ, କର୍ପୋରେଟ, ମିଶିନାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକ ଏହି ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଭର୍ତ୍ତି ହେବାର ସୂଚନା ଓ ରୋଗୀଙ୍କ ଇନଭେଷ୍ଟିଗେସନ ରେକର୍ଡକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟକୁ ନିଶ୍ଚିତ ପଠାଇବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *