କୋଭିଡ୍ ଟିକା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର:-ରାଜ୍ୟ ସରକାର ପୁଣିଥରେ ରାଜ୍ୟରେ କୋଭିଡ୍‌-୧୯ ଟିକା ସଙ୍କଟ କଥା ଦୋହରାଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ତୃତୀୟ ଥର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ରାଜ୍ୟକୁ କୋଭିଡ୍ ଟିକା ପଠାଇବାକୁ ଅନୁରୋଧ କରିଛନ୍ତି।

ଶ୍ରୀ ଦାସ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ରାଜ୍ୟରେ କୋଭିଡ୍‌-୧୯ ଟିକାର ସ୍ୱଳ୍ପ ପରିଣାମ ଓ ଅନିୟମିତତା ଯୋଗାଣ ଯୋଗୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏବେସୁଦ୍ଧା ରାଜ୍ୟକୁ ୫୦ଲକ୍ଷ ୭୯ହଜାର ୬୫୦ ଡୋଜ୍ ଟିକା ଯୋଗାଇ ଦିଆଯାଇଛି। ତା’ମଧ୍ୟରୁ ୪୫ଲକ୍ଷ ୪୨ହଜାର ୮୭୦ ଡୋଜ୍ କୋଭାଶିଲଡ୍ ଟିକା ହୋଇଥିବାବେଳେ ଅବଶିଷ୍ଟ ୫ଲକ୍ଷ ୩୬ହଜାର ୭୮୦ କୋଭାକ୍ସିନ୍ ଟିକା ଅଟେ। ଏବେ ରାଜ୍ୟସ୍ତରୀୟ, ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଟିକାକରଣ କେନ୍ଦ୍ରଗୁଡ଼ିକରେ କୋଭାଶିଲଡ୍ ଟିକା ନାହିଁ। ଏବେ ୧ଲକ୍ଷ ୭୪ହଜାର ୪ଟି ଡୋଜ୍ କୋଭାଶିଲଡ୍ ଓ ୨ଲକ୍ଷ ୪୯ହଜାର ୧୯୬ଟି ଡୋଜ୍ କୋଭାସ୍କିନ୍ ଟିକା ବଣ୍ଟନ ଜାରି ରହିଛି।

ରାଜ୍ୟରେ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣର କ୍ଷମତା ଥିବାବେଳେ ଏବେ ରାଜ୍ୟକୁ ମାତ୍ର ୨ରୁ ୩ଲକ୍ଷ ଡୋଜ୍ ଟିକା ମିଳୁଛି। ଯାହାକି ରାଜ୍ୟ ଭକ୍ସିନ୍ ଷ୍ଟୋରରୁ ଆଂଚଳିକ ଭାକ୍କିନ୍ ସବସେଣ୍ଟର ଓ ଜିଲ୍ଲା ଭାକ୍ସିନ୍ ସବସେଣ୍ଟରରେ ପହଂଚିବାକୁ ୩ଦିନ ସମୟ ଲାଗୁଛି। ଟିକା ଯୋଗାଣରେ ଏଭଳି ଅନିୟମିତତା ଯୋଗୁ କମ୍ୟୁନିଟି ସେଂଟରଗୁଡ଼ିକରେ ଯୋଜନା ମୁତାବକ ଟିକାଦାନ କାର୍ଯ୍ୟକ୍ରମ ସମ୍ଭବପର ହୋଇପାରୁନି। ତେଣୁ ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଆଗାମୀ ୧୦ଦିନ ପାଇଁ ପ୍ରାୟ ୨୫ଲକ୍ଷ କୋଭାଶିଲଡ୍ ଡୋଜ୍ ଜରୁରୀକାଳୀନ ଭିତ୍ତିରେ ଯୋଗାଇବା ନିମନ୍ତେ ଶ୍ରୀ ଦାସ ଚିଠିରେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ଟିକା ଉପଲବ୍ଧତାକୁ ନେଇ ଗତ ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ସମାଲୋଚନା କରିବା ସହ ଦେଶରେ ଉପଲବ୍ଧ ଥିବା ଟିକା ଆଧାରରେ ଓଡ଼ିଶାକୁ ଟିକା ଆସୁଛି ବୋଲି କହିଥିଲେ। ସେହିପରି ରାଜ୍ୟ ସରକାର ଟିକା ଉପଲବ୍ଧତାକୁ ନେଇ ରାଜନୀତି ନକରୁ ବୋଲି ବିଜେପି ମଧ୍ୟ ଅଭିଯୋଗ କରିଥିଲା।

Leave a Reply

Your email address will not be published. Required fields are marked *