ଓଡ଼ିଶାରେ ସ୍ଥାପନ ହେବ ‘ଜଳ ଏକାଡେମୀ’

ଭୁବନେଶ୍ୱର:-ରାଜ୍ୟରେ ଖୁବଶୀଘ୍ର ଜଳ ଏକାଡେମୀ ସ୍ଥାପନ ହେବ। ଏହି ଏକାଡେମୀରେ ଜଳ ଓ ବର୍ଜ୍ୟ ଜଳ ସେବା ଯୋଗାଣ କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧି ସମେତ ଏକ ଅଗ୍ରଣୀ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ଭାବେ କାର୍ଯ୍ୟ କରିବ।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ସେଣ୍ଟର ଅଫ୍ ଏକ୍ସଲେନ୍ସି ଭାବେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରାଯିବ। ଏଭଳି ପ୍ରୟାସ ପ୍ରଥମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରେରଣାରେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରାଯିବ, ଯାହାକି ରାଜ୍ୟ ସରକାରଙ୍କ ଜଳ ଯୋଗାଣ ଓ ବର୍ଜ୍ୟ ଜଳ ପରିଚାଳନା ସଂସ୍କାର କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ସଫଳତା। ସହରାଂଚଳର ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଓ ବର୍ଜ୍ୟ ଜଳ ପରିଚାଳନା ସେବା ଯୋଗାଇ ଦେବା ସରକାରଙ୍କ ପ୍ରାଥମିକତା ହୋଇଆସିଛି।

ଓଡ଼ିଶା ଜଳ ନିଗମ, ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ଅର୍ଗାନାଇଜେସନ୍ , ଓଡ଼ିଶା ଜଳ ଯୋଗାଣ ଓ ସ୍ୱରେଜ ପରିଷଦ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସଂଗଠନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏହି ଏକାଡେମୀ ଏକ ଅଗ୍ରଣୀ ଅନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୮୬୦ ଅନୁସାରେ ଏହି ଏକାଡେମୀ ଏକ ସୋସାଇଟି ଭାବେ ପଞ୍ଜିକୃତ ହେବ ଓ ଓଡ଼ିଶା ଜଳ ନିଗମ(ୱାଟକୋ)ର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ।

ନିଜସ୍ୱ ମେମୋରେଣ୍ଡମ୍ ଅଫ ଆସୋସିଏସନ୍ ଓ ନିୟମାବଳୀ ଅଧୀନରେ ଏହି ଏକାଡେମୀ ଓଡ଼ିଶା ଜଳ ନିଗମ(ୱାଟକୋ)ର ଅଧ୍ୟକ୍ଷ ତଥା ନଗର ଉନ୍ନୟନ ବିଭାଗର ସଚିବଙ୍କ ନେତୃତ୍ୱରେ ଏକ ବୃତ୍ତିଗତ ତାଲିମ ସହଭାଗୀ ଦଳ ଓ ବିଶ୍ୱସ୍ତରୀୟ ସହଭାଗିତା ଦ୍ୱାରା ପରିଚାଳିତ ହେବ।

Leave a Reply

Your email address will not be published. Required fields are marked *