ଦିଲ୍ଲୀ ହାଇକୋର୍ଟଙ୍କ ରାୟ,ଏକୁଟିଆ କାର ଚଲାଉଥିବା ବେଳେ ବି ମାସ୍କ ଜରୁରୀ

ନୂଆଦିଲ୍ଲୀ: ଏକୁଟିଆ କାର ଚଳାଉଥିଲା ବେଳେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ଏକୁଟିଆ କାର ଚଳାଇ ଯାଉଥିବା ବେଳେ ଚାଳକ ମାସ୍କ ପିନ୍ଧିବାକୁ ବାଧ୍ୟ କି ନାହିଁ ଏହା ଉପରେ ରାୟ ଦେଇ ଦିଲ୍ଲୀ ହାଇକୋର୍ଟ ମହତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଡ୍ରାଇଭର ଏକୁଟିଆ ଗାଡି ଚଳାଇ ଯାଉଥିଲେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । କାରଣ ଏହା କୋଭିଡ୍-୧୯ ପ୍ରସାର ରୋକିବାରେ ସହାୟକ ହେବ । ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ସହିତ ସରକାର ସେଠାରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ସରକାର ସର୍ବସାଧାରଣରେ ମାସ୍କ ପିନ୍ଧିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କାରରେ ଏକାକି ଥିବା ବ୍ୟକ୍ତି ମାସ୍କ ପିନ୍ଧିନଥିଲେ ୨ ହଜାର ଟଙ୍କାର ଚାଲଣ କଟାଯାଉଛି । ଯାହାକୁ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଥିଲା । ବୁଧବାର ଦିନ ଏହି ମାମଲା ଉପରେ ଶୁଣାଣି କରି ବିଚାରପତି ପ୍ରତିଭା ସିଂହ ଏକୁଟିଆ ଡ୍ରାଇଭିଂ କରୁଥିବା ବେଳେ ମାସ୍କ ନପିନ୍ଧିଥିଲେ ଚାଲଣ କଟାଯିବ ବୋଲି ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ପ୍ରକାରର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଅଦାଲତ କହିଛନ୍ତି ଯେ, ମହାମାରୀ କାଳରେ ମାସ୍କ ସୁରକ୍ଷା କବଚ ଭଳି ।
ଦିଲ୍ଲୀରେ ଏକାକି କାର ଚଳାଉଥିବା ବ୍ୟକ୍ତି ମାସ୍କ ନପିନ୍ଧିଥିଲେ ୨ ହଜାର ଟଙ୍କାର ଚାଲଣ କଟା ଯାଉଛି । ଯାହାକୁ ନେଇ ଅନେକ ସମୟରେ ପୋଲିସ ସହିତ ବିବାଦ ମଧ୍ୟ ସୃଷ୍ଟି ହୋଇଛି । ତେବେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ଚିତ୍ର ସ୍ପଷ୍ଟ ହୋଇଯାଇଛି । କାରରେ ଏକାକୀ ଥିଲେ ମଧ୍ୟ ମାସ୍କ ପିନ୍ଧିବାକୁ ବାଧ୍ୟ ଓ ନପିନ୍ଧିଥିଲେ ଚାଲଣ କଟିବ । କେବଳ ଏତିକି ନୁହେଁ ହାଇକୋର୍ଟ ମଧ୍ୟ ବରିଷ୍ଠ ନାଗରିକ ଯେମିତି ଘରେ ଥିବା ବେଳେ ମଧ୍ୟ ମାସ୍କ ପିନ୍ଧିବେ ସେନେଇ ପଦକ୍ଷେପ ନେବାକୁ ସରକାରଙ୍କୁ କହିଛନ୍ତି ।

Leave a Reply

Your email address will not be published. Required fields are marked *