ଛତିଶଗଡରେ ମାଓବାଦୀଙ୍କ ନରସଂହାର,୨୨ ଯବାନ ସହିଦ, ୩୦ ଆହତ

ଛତିଶଗଡ଼ :-ବିଜାପୁର ଜିଲ୍ଲା ତେରମ୍ ଥାନା ଅଂଚଳରେ ଥିବା ଜଙ୍ଗଲରେ ପ୍ରାୟ ୪୦୦ ମାଓବାଦୀ ଏକାଠି ହୋଇଥିବା ଖବର ପାଇ ଏସଟିଏଫ, ସିଆରପିଏଫ, କୋବ୍ରା ଓ ଡିଆରଜି ଯବାନମାନେ ଆରମ୍ଭ କରିଥିଲେ ମିଳିତ ଅପରେସନ୍ । ପ୍ରାୟ ୨ ହଜାର ଯବାନ ଚାରିପଟୁ ଘେରି ମାଓବାଦୀଙ୍କୁ କାବୁ କରିବାକୁ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଂଟ । ଉଦ୍ଦେଶ୍ୟ ଥିଲା, ଯେମିତି କୌଣସି ମାଓବାଦୀ ଘଟଣାସ୍ଥଳରୁ ଖସି ଯାଇପାରିବେ ନାହିଁ ।

ଯବାନଙ୍କ ଏକ ଟିମ୍ ଜଙ୍ଗଲ ଭିତରେ ଥିବା ଟେକେଲଗୁଡ଼ା ଗାଁରେ ପହଁଚିବା ପରେ ମାଓବାଦୀମାନେ ଆରମ୍ଭ କରି ଦେଇଥିଲେ ଅନ୍ଧାଧୁନ୍ ଫାୟାରିଂ । କେହି କିଛି ବୁଝିବା ପୂର୍ବରୁ ଗର୍ଜି ଉଠିଥିଲା ମାଓବାଦୀଙ୍କ ଏଲଏମଜି ଓ ରକେଟ ଲଂଚର । ଭୀଷଣ ଶବ୍ଦରେ ପୂରା ଜଙ୍ଗଲ ଥରି ଉଠିଥିଲା । ଯବାନମାନେ ପୋଜିସନ୍ ନେବା ବେଳକୁ ଜାଣିପାରିଲେ ସେମାନଙ୍କୁ ଇଂରାଜୀ ଅକ୍ଷର ୟୁ ଆକାରରେ ଆମ୍ବୁସ କରି ସାରିଛନ୍ତି ମାଓବାଦୀ । ଆସିବା ବାଟକୁ ଛାଡି ତିନି ପଟେ ଥିବା ପାହାଡ଼ ଓ ଘଂଚ ଜଙ୍ଗଲର ଆଢ଼ୁଆଳରେ ପ୍ରାୟ ୪୦୦ ମାଓବାଦୀ, ଘେରାବନ୍ଦୀ କରି ଗୁଳିମାଡ଼ କରିଥିଲେ । ପ୍ରାୟ ୪ରୁ ୫ ଘଂଟା ପର୍ଯ୍ୟନ୍ତ ଚାଲିଥିଲା ଉଭୟ ପଟୁ ଗୁଳିମାଡ । ଗୁଳି ମାଡ଼ରେ ୨୩ ଯବାନ ସହିଦ ହେବା ସହ ପ୍ରାୟ ୩୦ ଯବାନ ଆହତ ହୋଇଥିଲେ । ତେବେ କେତେ ମାଓବାଦୀର ମୃତାହତ ହୋଇଛନ୍ତି, ତାହା  ଜଣାପଡିନାହିଁ ।

ଘଂଟା ଘଂଟା ଧରି ଗୁଳି ଓ ବୋମା ବର୍ଷଣ ଭିତରେ କିଛି ଆହତ ସାଥୀଙ୍କୁ ଉଦ୍ଧାର କରିଥିଲେ ଯବାନ । ୩ ତାରିଖ ଦିନ ମାତ୍ର ୨ ଜଣ ଯବାନଙ୍କ ମୃତଦେହକୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ । ମାଓବାଦୀ ମାନେ ପ୍ରାୟ ୨୪ ଘଂଟା ଧରି ମୃତଦେହକୁ ଘେରି ରଖିଥିବା ବେଳେ ଯବାନ ଠାରୁ ଅତ୍ୟାଧୁନିକ ବନ୍ଧୁକ, ଗୁଳି ଗୋଳା ସହ ଯୋତା ଓ ପୋଷାକ ମଧ୍ୟ ଛଡାଇ ନେଇଥିଲେ । ଗଣମାଧ୍ୟମ ପ୍ରତିନିଧି ପହଁଚିବା ପରେ ଘଟଣା ଘଟିବାର ଦିନକ ପରେ ମୃତଦେହକୁ ନେବା ଲାଗି ପହଁଚିଥିଲେ ସାଥୀ ଯବାନ ।

ସେନାର ଏମଆଇ – ୧୭ ହେଲିକପ୍ଟର ମାଓଗଡରେ ଅବତରଣ କରି ମୃତଦେହକୁ ଉଦ୍ଧାର କରାଯାଇଛି । ଆହତ ଯବାନଙ୍କୁ ରାୟପୁର ଓ ବିଜାପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମାଓବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସମବେଦନା ଜଣାଇବା ସହ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ସେପଟେ ଏହାର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଏହି ଘଟଣା ସାରା ଦେଶରେ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ଏହି ମାଓବାଦୀ ଆକ୍ରମଣର ନେତୃତ୍ୱ ନେଇଥିଲେ ମାଡ଼ବି ହିଡମା । ୩୭ ବର୍ଷିୟ ହାର୍ଡକୋର ନକ୍ସଲ ହିଡମା, ମାଓବାଦୀଙ୍କ ଦଣ୍ଡକାରଣ୍ୟ ସ୍ପେଶାଲ୍ ଗରିଲା ମିଲିଟାରୀ ବାହିନୀର ମୁଖ୍ୟ ଏବଂ ଗରିଲା ଯୁଦ୍ଧରେ ବେଶ ପାରଙ୍ଗମ । ସେହି ହିଁ ସୁରକ୍ଷା ବାହିନୀକୁ ଫସାଇବା ପାଇଁ ରଚିଥିଲା ଚକ୍ରବ୍ୟୂହ । ମିଳିତ ବାହିନୀର ଅପରେସନ୍ ନେଇ ସୂଚନା ପାଇବା ମାତ୍ରେ ମୃତ୍ୟୁର ଫାସ ବସାଇଥିଲା ହିଡମା । ମାଓ ସଂଗଠନର ଏହି ନାରକୀୟ ଓ ବର୍ବରଚିତ କାର୍ଯ୍ୟ ପରେ ପୂରା ଇଲାକାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave a Reply

Your email address will not be published. Required fields are marked *