ଦୁଇ ଜଣଙ୍କୁ ଭଲ ପାଇଥିଲେ, ହେଲେ କାହାର ହୋଇପାରିଲେ ନାହିଁ

ରାୟଗଡ଼ା:- ଦୁଇ ଦୁଇ ଜଣଙ୍କୁ  ଭଲ ପାଇଥିଲେ। ହେଲେ କାହାର ହୋଇପାରିଲେ ନାହିଁ। କିନ୍ତୁ ବାହା ନହୋଇ ଏବେ ମାଆ ହୋଇଛନ୍ତି। ଆଉ ନିଜ ଗର୍ଭରୁ ଜନ୍ମିତ ପିଲାର ବାପାକୁ ଖୋଜୁଛନ୍ତି। ଏମିତି ଏକ ଘଟଣା ରାୟଗଡ଼ା ଜିଲ୍ଲାରୁ ଆସିଛି। ପରିବାର ଲୋକେ ବାହାର କରିଦେଇଥିବାରୁ ନିଜ ୮ ଦିନ ଛୁଆକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ ‘ୱାନ ଷ୍ଟପ’ ସେଣ୍ଟରରେ ଆଶ୍ରୟ ନେଇଛନ୍ତି ଏହି ଯୁବତୀ ଜଣଙ୍କ।

ବିଷମକଟକ ବ୍ଲକ ଅଞ୍ଚଳର ପଦ୍ମା (ଛଦ୍ମନାମ) ନିଜ ଗାଁର ଜଣେ ଯୁବକକୁ ଭଲ ପାଉଥିଲେ। ପଦ୍ମାଙ୍କ ସରଳତାର ସୁଯୋଗ ନେଇ ସମ୍ପୃକ୍ତ ଯୁବକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କୁ ବିବାହ କରି ସଂସାର ଗଢ଼ିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ ପଦ୍ମା। ଏହାରି ଭିତରେ ପଦ୍ମାଙ୍କ ମୋବାଇଲ୍‌କୁ ଆସିଲା ଏକ ଅଜଣା କଲ୍‌। ଯାହାକୁ ରିସିଭ୍‌ କରିବା ପରେ ତାଙ୍କ ପ୍ରେମରେ ପଡ଼ିଗଲେ ପଦ୍ମା। ତା’ପରେ ପଦ୍ମାଙ୍କ ମୋବାଇଲ୍‌କୁ ଆସିଲା ଘନଘନ ଫୋନ୍‌। ଉଭୟ ପରସ୍ପରକୁ ଭଲ ପାଇଲେ। ଫୋନ୍‌ରେ ଆରମ୍ଭ ହୋଇଥିବା କଥାବାର୍ତ୍ତା ଧୀରେ ଧୀରେ ଆଗକୁ ବଢ଼ିଲା। ଆଉ ପ୍ରେମିକ ଆଗରେ ନିଜକୁ ସମର୍ପି ଦେଇଥିଲେ ପଦ୍ମା। ସେ ଦୁଇ ଜଣଙ୍କୁ ଭଲ ପାଉଥିଲେ ସତ, ହେଲେ କାହାକୁ କିଛି କହୁ ନଥିଲେ। ଏହାରି ଭିତରେ ପଦ୍ମା ଗର୍ଭବତୀ ହୋଇଯାଇଥିଲେ।ପଦ୍ମା ଗର୍ଭବତୀ ହୋଇଥିବା ଜାଣି ତାଙ୍କର ଦୁଇ ପ୍ରେମିକ ପ୍ରବର ଧରାଛୁଆଁ ଦେଲେନାହିଁ। ଏପରିକି ପଦ୍ମାଙ୍କ ଫୋନ୍‌ ମଧ୍ୟ ଉଠାଇଲେ ନାହିଁ। ଧୀରେ ଧୀରେ କଥା ପ୍ରଘଟ ହେଲା। ପରିବାର ଲୋକେ ଜାଣିଲେ। ଲୋକ ଲଜ୍ଜ୍ୟା ଭୟରେ ସେମାନେ ପଦ୍ମାକୁ ଘରୁ ବାହାର କରିଦେଲେ। ନିଜର ନୂଆ ଠିକଣା ଖୋଜିବାକୁ ଯାଇ ପଦ୍ମା ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଚାଲିଗଲେ। ହେଲେ ଦାଦନ ଖଟିବାକୁ ସାଥ୍‌ ଦେଲାନାହିଁ ଶରୀର। ତେଣୁ ପୁଣି ଘରେ ଗାଁକୁ ଫେରିଆସିଲେ।ଗତ ୧୫ ତାରିଖରେ ରାୟଗଡ଼ା ମେଡିକାଲ୍‌ରେ ପଦ୍ମା ଏକ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ପରିବାର ଲୋକେ ତଡିଦେଇଥିବାରୁ ପଦ୍ମା ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସଖୀ ‘ୱାନ ଷ୍ଟପ’ ସେଣ୍ଟରରେ ଆଶ୍ରୟ ନେଇଛନ୍ତି। ଆଉ ନିଜ ଜନ୍ମିତ ସନ୍ତାନର ବାପାର ପରିଚୟ ପାଇଁ ସେ ଆଇନର ଆଶ୍ରୟ ନେଇଛନ୍ତି।

Leave a Reply

Your email address will not be published. Required fields are marked *