ଏୟାରପୋର୍ଟରେ ନାଗ,

ଭୁବନେଶ୍ୱର:- ବେସିନ୍‌‌ ପାଇପ୍‌ ଭିତରେ ପଶିଯାଇଥିଲା ନାଗ। ତାକୁ ବାହାର କରିବା ପାଇଁ ନାକେଦମ୍‌ ହେଲେ ଭୁବନେଶ୍ୱର ଏୟାରପୋର୍ଟ କର୍ତ୍ତୃପକ୍ଷ ଓ ସ୍ନେକ୍‌ ହେଲ୍‌ପଲାଇନ୍‌ କର୍ମକର୍ତ୍ତା। ଶେଷରେ ଏୟାପୋର୍ଟର ଫାୟାର୍‌ ବ୍ରିଗେଡ୍‌ର ସହଯୋଗରେ ପାଇପ୍‌ରୁ ନାଗ ସାପକୁ ବାହାର କରାଯାଇଛି। ପରେ ନାଗକୁ ସହର ବାହାରେ ଥିବା ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ବୁଧବାର ରାତିରେ ଗୋଟିଏ ନାଗ ଏୟାରପୋର୍ଟରେ ଏମ୍‌ଟି ପୁଲ୍‌ର ବାଥ୍‌ରୁମ୍‌ରେ ପଶି ଯାଇଥିଲା। ପରେ ସାପଟି ବେସିନ୍‌ ତଳେ ଥିବା ପାଇପ୍‌ରେ ପଶି ଯାଇଥିଲା। ଗୁରୁବାର ସକାଳ ୧୦ଟାରେ ସାପଟି ପାଇପ୍‌ରେ ମୁଣ୍ଡ କାଢ଼ିଥିବା ଦେଖିବାକୁ ମିଳିଥିଲା। ଏହା ପରେ ଏୟାରପୋର୍ଟ କର୍ତ୍ତୃପକ୍ଷ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସାହାଯ୍ୟ ଲୋଡି ଥିଲେ।

ସ୍ନେକ୍‌ ହେଲ୍‌ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏୟାରପୋର୍ଟରେ ପହଞ୍ଚି ନାଗକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନାଗଟି ପାଇପ୍‌ରୁ ବାହାରି ନଥିଲା। ସାପକୁ ପାଇପରୁ ବାହର କରିବା ପାଇଁ ବାଥ୍‌ ରୁମ୍‌ର ଭିତର ପଟୁ ପାଇପ୍‌ରେ ଫିନାଇଲ, ଏସିଡ୍‌ ଓ ପେଟ୍ରୋଲ୍‌ ଢ଼ଳା ଯାଇଥିଲା। ହେଲେ ସାପ ବାହାରି ନଥିଲା। ପରେ ଏୟାରପୋର୍ଟର ଫାୟାର୍‌ ବ୍ରିଗେଡ୍‌ ଗାଡି ଆସି ପାଇପ୍‌ର ଗୋଟିଏ ପାର୍ଶ୍ୱରୁ ପ୍ରବଳ ପାଣି ମାଡ଼ କରିଥିଲା। ଆଉ ତା’ପରେ ୩ ଫୁଟ୍‌ ଲମ୍ବର ନାଗ ସାପଟି ପାଇପ୍‌ରୁ ବହାରକୁ ଆସିଥିଲା। ସେହି ସମୟରେ ଶୁଭେନ୍ଦୁ ତତ୍‌କ୍ଷଣାତ ସାପଟିକୁ ନିଜର ସ୍ନେକ ହୁକ୍‌ ସାହାଯ୍ୟରେ ଦୂରକୁ ଛାଟି ଦେଇଥିଲେ।

ପାଇପରେ ଥିବା ବେଳେ ସାପଟି ଗୋଟିଏ ବେଙ୍ଗ ଗିଳିଥିଲା। ପାଇପରୁ ବାହାରିବା ପରେ ନାଗ ସାପଟି ଗିଳିଥିବା ବେଙ୍ଗକୁ ବାନ୍ତି କରିଥିଲା। ଏହାପରେ ସାପଟିକୁ କାବୁ କରାଯାଇ ସହର ବାହାରେ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Leave a Reply

Your email address will not be published. Required fields are marked *