୬୭ ତମ ଜାତୀୟ ଫିଲ୍ମ ପୁରସ୍କାର:୩ ଓଡ଼ିଆ ଫିଲ୍ମକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ୬୭ ତମ ଜାତୀୟ ଫିଲ୍ମ ପୁରସ୍କାର ସୋମବାର ଦିନ ଘୋଷଣା ହୋଇଯାଇଛି । ଏହି ଫିଲ୍ମ ପୁରସ୍କାରରେ ‘କାଲିର ଅତୀତ’ ଓ ‘ଶଲା ବୁଢ଼ାର ବଦଲା’କୁ  ବେଷ୍ଟ ଓଡିଆ ଚଳଚ୍ଚିତ୍ର ଆୱାର୍ଡ ପ୍ରଦାନ କରାଯାଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ,  ନନ-ଫିଚର କାଟେଗୋରୀରୁ ଓଡ଼ିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଚଳଚ୍ଚିତ୍ରକୁ ମିଳିଛି ଜାତୀୟ ପୁରସ୍କାର ସମ୍ମାନ। ଶ୍ରେଷ୍ଠ ଫିଚର ଫିଲ୍ମରେ ୨ ଓଡ଼ିଆ ଫିଲ୍ମ ପୁରସ୍କାର ପାଇଛି  । ତନ୍ମଧ୍ୟରେ ରହିଛି ‘କାଲିର ଅତୀତ’ ଓ ‘ଶଲା ବୁଢ଼ାର ବଦଲା’ ।

ସେହିପରି  ହାଇଲାଇଟରେ ଅଛନ୍ତି କଙ୍ଗନା ଓ ସୁଶାନ୍ତ ସିଂ ରାଜପୁତ । କଙ୍ଗନାଙ୍କୁ ମଣିକର୍ଣ୍ଣିକା ଓ ପଙ୍ଗା ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଥିବା ବେଳେ ସୁଶାନ୍ତ ସିଂଙ୍କ ଫିଲ୍ମ ଛିଛୋରେକୁ ମିଳିଛି ବେଷ୍ଟ୍ ଫିଲ୍ମର ଜାତୀୟ ସମ୍ମାନ । ସେହିଭଳି ମନୋଜ ବାଜପାୟୀଙ୍କୁ ‘ଭୋଁସଲେ’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତାର ଆୱାର୍ଡ ମିଳିଛି ।

ତେବେ ଏଭଳି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଆଉ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘‘ଚଳଚ୍ଚିତ୍ର ‘କାଲିର ଅତୀତ’ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ‘ଶ୍ରୀକ୍ଷେତ୍ରରୁ ସାହିଯାତ’ର ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ଏବଂ ‘ଶଲା ବୁଢ଼ାର ବଦଲା’ର ନିର୍ଦ୍ଦେଶକ ଡଃ. ସବ୍ୟସାଚୀ ମହାପାତ୍ର ଓ ସମସ୍ତ କଳାକାରମାନଙ୍କୁ ମୋର ଶୁଭେଚ୍ଛା’’।

Leave a Reply

Your email address will not be published. Required fields are marked *