ଆରମ୍ଭ ହେଲା ‘ମୋ କଲେଜ୍ ଅଭିଯାନ’, ପ୍ରତି କଲେଜ୍କୁ ୫୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର
ଭୁବନେଶ୍ଵର:-ଆଜିଠାରୁ ଆରମ୍ଭ ହୋଇଛି ମୋ କଲେଜ ଅଭିଯାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଥିଲେ।
କଲେଜ ସହିତ ଯୋଡ଼ିହୋଇ ରହିଛି ଭାବଗତ ସଂପର୍କ। ଦିନ ଗଡ଼ିଯାଏ କିନ୍ତୁ କଲେଜର ସ୍ମତି ଜୀବନବ୍ୟାପୀ ରହିଯାଏ। କଲେଜ କେବଳ ଶିକ୍ଷା ସହିତ ସୀମିତ ରହିନାହିଁ। କ୍ରୀଡ଼ା ସଂସ୍କୃତି ଠାରୁ ସୃଜନଶୀଳତାର ବିକାଶର ପବିତ୍ର ଭୂମି ହେଉଛି କଲେଜ। କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରିବା ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣି ନିଜ କଲେଜ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମୋ କଲେଜ ଅଭିଯାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। କହିଛନ୍ତି ମୋ କଲେଜ ଅଭିଯାନ ଦ୍ଵାର ବିଶ୍ଵର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତି ବିଶେଷ ନିଜର ପୁରୁଣା କଲେଜ ସହିତ ଯୋଡ଼ି ହୋଇପାରିବେ। ମୋ ସ୍କୁଲ ଭଳି ମୋ କଲେଜ ଅଭିଯାନ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ମୋ କଲେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ ଟି ସଚିବ ଭି କେ ପାଣ୍ଡ୍ୟାନ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନେ ଚାହିଁଲେ ନିଜ କଲେଜର ବିକାଶ ପାଇଁ ପାଣ୍ଠି ଦାନ କରିପାରିବେ। ସେହି ଅନୁପାତରେ ରାଜ୍ୟସରକାର ମଧ୍ୟ ସହାୟତା ଦେବେ। ମୋ କଲେଜ ଆମ ଅତୀତ ସହିତ ଯୋଡ଼ିବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବରରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ କଲେଜରେ ଅଧ୍ୟକ୍ଷ ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିଲେ। କୋଭିଡ ନିୟମ ଅନୁସାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୋ କଲେଜ ଅଭିଯାନ ଅନୁସାରେ ରାଜ୍ୟ ସରକାର ପ୍ରତି କଲେଜକୁ ୫୦ ହଜାର ଟଙ୍କା ଲେଖାଏଁ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଏହି ସମୟରେ ଘୋଷଣା କରିଛନ୍ତି।