ରାଜଧାନୀରେ ଗନ୍ ପଏଣ୍ଟରେ ଅପହରଣ ଓ ଗଣଦୁଷ୍କର୍ମ

ଭୁବନେଶ୍ୱର:- ଗନ୍ ପଏଣ୍ଟରେ ଅପହରଣ ଓ ଗଣଦୁଷ୍କର୍ମ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ । ୪ଜଣ ବ୍ୟକ୍ତି ମହିଳାଙ୍କୁ କାର୍‌ରେ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରିଛି । ହେଲେ ଏହି ଘଟଣାରେ କିଛି ଭିନ୍ନ କଥା ଥିବା ପୋଲିସ ସୂଚନା ଦେଇଛି ।

ମହିଳାଙ୍କ ଅଭିଯୋଗ ଅନୁସାରେ, ଗତ ଫେବୃଆରୀ ୨୬ ତାରିଖରେ ସଂପୃକ୍ତ ମହିଳା ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ତାଙ୍କ ଶାଶୂ ଘରକୁ ଚାଲି ଚାଲି ଫେରୁଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ଏକ କାରରେ ଆସି ମହିଳାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଉଠାଇ ନେଇଥିଲେ । ପରେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍‌ ତାଙ୍କୁ ମିଛ ଘଟଣା କହି ସେଠାରୁ ତଡି ଦେଇଥିଲା । ଥାନା ପୋଲିସ ନ ଶୁଣିବାରୁ ମହିଳା ଜଣଙ୍କ ବାଧ୍ୟ ହୋଇ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ସିପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ମହିଳା ଥାନାକୁ ଆସି ଅଭିଯୋଗ କରିବା ଘଟଣାକୁ ଖଣ୍ଡନ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଘଟଣା ଫେବୃଆରୀ ମାସ ୨୬ ତାରିଖରେ ଘଟିଥିବା ବେଳେ ମାର୍ଚ୍ଚ ୧୮ରେ ଥାନାରେ ଅଭିଯୋଗ ଆଣିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ଶନିବାର ଗଣଦୁଷ୍କର୍ମ ଶିକାର ହୋଇଥିବା ମହିଳାଙ୍କୁ ପୋଲିସ ଥାନାକୁ ଡାକି ପଚରାଉଚରା କରୁଛି। ଘଟଣା ଦିନ ମହିଳା ପିନ୍ଧିଥିବା ପୋଷାକ ହଜିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମହିଳା ପୋଷାକ ଓହ୍ଲାଇ ତାଙ୍କ ଭଉଣୀକୁ ଦେଇଥିଲେ। ଭଉଣୀ ପୋଷାକକୁ ଘର ଆଗରେ ଥିବା ଡଷ୍ଟବିନ୍‌ରେ ପକାଇଥିଲେ। ତେବେ ଘର ଆଗରେ ସେଭଳି କିଛି ଡଷ୍ଟବିନ୍‌ ନ ଥିବା ବେଳେ ପୋଷାକ କୁଆଡେ ଗଲା, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପୋଲିସ କହିଛି ମହିଳା ଜଣଙ୍କ ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ସେମାନଙ୍କ ଏତଲାକ୍ରମେ ମହିଳାଙ୍କ ସ୍ୱାମୀ କିଛି ଦିନ ତଳେ ଜେଲ୍‌ ଯାଇଥିଲେ।

Leave a Reply

Your email address will not be published. Required fields are marked *