ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ,

ଭୁବନେଶ୍ୱର:–ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ପରଲୋକ ହୋଇଛି । ୮୬ ବର୍ଷ ବୟସରେ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗ ହୋଇଛି । ତେବେ ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ସ୍ଵର୍ଗତ କେଳୁଚରଣ ମହାପାତ୍ର ଓ ତାଙ୍କର ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ଅବଦାନକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଏହା ସହ ଶ୍ରୀମତି ଲକ୍ଷ୍ମୀପ୍ରିୟାଙ୍କର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଅନ୍ତିମ ସଂସ୍କାର କରିବା ପାଇଁ ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପୁରୀରେ ଶ୍ରୀମତି ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଅନ୍ତିମ ସଂସ୍କାର ହେବ।ଲକ୍ଷ୍ମୀପ୍ରିୟା ଜଣେ ଉଚ୍ଚକୋଟୀର ନୃତ୍ୟାଙ୍ଗନା ଏବଂ କଳାକାର ଥିଲେ। ଗୁରୁ କେଳୁଚରଣଙ୍କ ଜୀବନ ସାଥୀ ଭାବେ ଲକ୍ଷ୍ମୀପ୍ରିୟାଙ୍କ ଅବଦାନ ଅବର୍ଣ୍ଣନୀୟ । ଦୁଇଜଣ ମହାନ୍‌ କଳାକାର ଦମ୍ପତି ହେବା ଏକ ମହାନ୍‌ ସଂଯୋଗ ।୧୯୪୬ ମସିହାରେ ଗୁରୁ କେଳୁଚରଣ ଅର୍ଣ୍ଣପୂର୍ଣ୍ଣା ବି ରଙ୍ଗମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ । ସେହି ମଞ୍ଚରେ ଲକ୍ଷ୍ମୀପ୍ରିୟା ମଧ୍ୟ ପରିବେଷଣ କରିଥିଲେ। ପରେ ଦୁଇଜଣ ଜୀବନସାଥୀ ହୋଇଥିଲେ । ଲକ୍ଷ୍ମୀପ୍ରିୟାଙ୍କ ଜନ୍ମ ଖୋର୍ଦ୍ଧାରେ । ହେଲେ ତାଙ୍କର ବାଲ୍ୟ ସମୟ ପୁରୀରେ କଟିଥିଲା । ପୁରୀରେ ଥିବା ଅନପୂର୍ଣ୍ଣା ଏ ରଙ୍ଗମଞ୍ଚରେ ସେ ନୃତ୍ୟାଭିନୟ କରିଥିଲେ। ଗୁରୁ ବାଉରୀବନ୍ଧୁ ମହାନ୍ତିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଲକ୍ଷ୍ମୀପ୍ରିୟା । ମୋହିନୀ ଚରିତ୍ରରେ ପ୍ରଥମଥର ପାଇଁ ଲକ୍ଷ୍ମୀପ୍ରିୟା ଅନପୂର୍ଣ୍ଣା ଲଙ୍ଗମଞ୍ଚରେ ନୃତ୍ୟାଭିନୟ କରିଥିଲେ । ଏହାପରେ କଳାକାର ଭାବେ ତାଙ୍କ ଜୀବନ ଯାତ୍ରା ଆଗକୁ ବଢି ଚାଲିଥିଲା । ତାଙ୍କୁ ମଞ୍ଚ ଉପେର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ଭାବେ ଅଭିହିତ କରାଯାଏ ।

Leave a Reply

Your email address will not be published. Required fields are marked *