ଧୋକା ଦେଇଥିଲେ, ଜେଲ୍‌ରେ ବାହାହେଲେ

ଚୌଦ୍ୱାର:-ଭଲ ପାଇ ପରେ ଧୋକା ଦେଇଥିଲେ। କେବେ ବାହା ହେବିନି ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଯେଉଁଥିପାଇଁ ଭୋଗିଲେ ଦଣ୍ଡ। ଜେଲ୍‌ ଗଲା ପରେ ଅନୁତାପ କଲେ। ଆଉ ତା’ପରେ ଯାହାକୁ ଧୋକା ଦେଇଥିଲେ, ତାଙ୍କୁ ହିଁ ବାହା ହେବାକୁ ରାଜି ହେଲେ। ଚୌଦ୍ୱାର ସର୍କଲ୍‌ ଜେଲ୍‌ ଶିବ ମନ୍ଦିରରେ ପଡିଛି ହାତଗଣ୍ଠି। ଦୁଇ ପରିବାର ଓ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପୂଜାଙ୍କ ସିନ୍ଥିରେ ସିନ୍ଦୂର ଦେଲେ ନୃସିଂହ।

ତେବେ ଘଟଣାଟି ଏମିତି। କଟକ ସଦର ଥାନା ସଙ୍କତାରସ ଗାଁର ରବି ଦାସଙ୍କ ଝିଅ ପୂଜା ସେହି ଗ୍ରାମର ନରେଶ ଦାସଙ୍କ ପୁଅ ନୃସିଂହଙ୍କୁ ପ୍ରେମ କରୁଥିଲେ। ଦୁହେଁ ଦୁହିଙ୍କୁ ବହୁ ଭଲ ପାଉଥିଲେ। ହେଲେ ହଠାତ କଣ ହେଲା କେଜାଣି, ପୂଜାଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ନୃସିଂହ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିଲେ। ଏ ସମ୍ପର୍କ ପୂଜା ଜାଣିପାରି ବିବାହ କରିବାକୁ ନୃସିଂହକୁ ନିବେଦନ କରିଥିଲେ। ମାତ୍ର ସେ ପ୍ରତ୍ୟାଖାନ କରିଥିଲେ। ଏପରିକି ନୃସିଂହ ଧରାଛୁଆଁ ଦେଇନଥିଲେ। ଯାହାକୁ ନେଇ ଗାଁରେ ବୈଠକ ବସିଥିଲା। ମାତ୍ର କୌଣସି ସୁଫଳ ବାହାରି ପାରିନଥିଲା। ଇତି ମଧ୍ୟରେ ନୃସିଂହ ପାଇଁ ପରିବାର ଲୋକେ ଝିଅ ଖୋଜାରେ ଲାଗି ପଡ଼ିଥିଲେ।

ନୃସିଂହଙ୍କ ପରିବାରଠାରୁ ନିରାଶ ହୋଇ ପୂଜାଙ୍କ ପରିବାର ଲୋକେ ଏନେଇ ସଦର ଥାନାରେ ଲଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ନୃସିଂହଙ୍କୁ ୨୦୧୯ ମସିହା ସେପ୍ଟେମ୍ୱର ୨୮ ତାରିଖରେ ଗିରଫ କରିଥିଲା। ନୃସିଂହଙ୍କ ଜାମିନ ନାମଞ୍ଜୁର ହେବାରୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଥିଲା।

ମାମଲା ସ୍ପେଶାଲ୍‌ ପୋକ୍ସୋ କୋର୍ଟରେ ବିଚାର ଚାଲିଥିଲା। ଏହାରି ଭିତରେ ପୂଜା ନାବାଳିକାରୁ ସାବାଳିକା ହୋଇଯାଇଥିଲେ। ନୃସିଂହ ମଧ୍ୟ ନିଜର କର୍ମ ପାଇଁ ଅନୁତାପ କଲେ। ପୂଜାକୁ ବିବାହ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏନେଇ ସେ ନିଜ ପରିବାର ଲୋକ ଓ ଜେଲର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ବୁଧବାର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍‌ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ଦୁଇ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଳରେ ପୂଜା ଓ ନୃସିଂହଙ୍କ ବିବାହ ହୋଇଥିଲା। ପୂଜାଙ୍କୁ ସାତ ଜନମର ଜୀବନ ସାଥୀ ଭାବେ ଗ୍ରହଣ କଲେ ନୃସିଂହ।

Leave a Reply

Your email address will not be published. Required fields are marked *