କୁନ୍ତଳାଙ୍କ କୋଳକୁ ଫେରିଲା ଢୁଡ଼
କେନ୍ଦୁଝର:-ଜଙ୍ଗଲୀ ଜନ୍ତୁ ହେଲେ ବି ନିଜ ପିଲାଠୁ ଅଧିକ ସ୍ନେହ କରିଥିଲେ। କୋଳେଇ କାଖେଇ ବଡ଼ କରିଥିଲେ। ହେଲେ ବାଧକ ସାଜିଲା ବନ୍ୟପ୍ରାଣୀ ଆଇନ୍। ବନ କର୍ମଚାରୀ ଜଙ୍ଗଲୀ ବାର୍ହା ଢୁଡ଼କୁ ନେଇ ଜଙ୍ଗଲରେ ଛାଡ଼ିଦେଲେ। ଆଉ ତା’ପରଠୁ ଜଙ୍ଗଲରେ ପାଗଳିପ୍ରାୟ ବୁଲୁଥିଲେ ତାକୁ ପାଳିପୋଷି ବଡ଼ କରିଥିବା କୁନ୍ତଳା ପେଣ୍ଠେଇ।
କ’ଣ ଖାଉଥିବ, କିପରି ରହୁଥିବ ଭାବି ଭାବି କୁନ୍ତଳାଙ୍କ ଆଖିକୁ ନିଦ ନ ଥିଲା। ଜଙ୍ଗଲରେ ଢୁଡ଼, ଢୁଡ଼ ବୋଲି ଚିତ୍କାର କରୁଥିଲେ ବି ତାଙ୍କ ଡାକ ଜଙ୍ଗଲର ନିକାଞ୍ଚନରେ ହଜି ଯାଉଥିଲା। ହେଲେ ଶେଷରେ କୁନ୍ତଳାଙ୍କ କୋଳକୁ ଫେରିଛି ବାରହା ଢୁଡ଼ । ଢୁଡ଼କୁ ପାଇ କୁନ୍ତଳାଙ୍କ ଖୁସି ବାଡ଼ବନ୍ଧ ମାନୁନି।ଜଙ୍ଗଲରେ ଢୁଡ଼ ବୁଲୁଥିବା ନେଇ ଆଜି ଗ୍ରାମବାସୀଙ୍କଠାରୁ ଖବର ପାଇ କୁନ୍ତଳା ଓ ତାଙ୍କ ଝିଅ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ଢୁଡ଼କୁ ପୁଣି ଘରକୁ ନେଇ ଆସିଛନ୍ତି।୧୦ ମାସ ତଳେ ଆହତ ଅବସ୍ଥାରେ ଢୁଡ଼କୁ ଉଦ୍ଧାର କରି ପାଖରେ ରଖିଥିଲେ କୁନ୍ତଳା। ସେବେଠୁ ଖାଇବା, ପିଇବାକୁ ଦେଇ ନିଜ ପିଲା ପରି ରଖିଥିଲେ। କୁନ୍ତଳାଙ୍କ ପରିବାରର ସେ ପାଲଟିଗଲା ସଦସ୍ୟ। ସ୍ନେହ ଆଦରରେ ପରିବାର ଲୋକ ନାଁ ଦେଇଥିଲେ ଢୁଡ଼।ହେଲେ ଗତ ୯ ତାରିଖ ରାତିରେ ବନ କର୍ମଚାରୀ ଆସି ଢୁଡ଼କୁ ନେଇ ଜଙ୍ଗଲରେ ଛାଡ଼ି ଦେଇଥିଲେ। ସେବେଠୁ ପାଗଳି ପ୍ରାୟ ଜଙ୍ଗଲରେ ଘୁରି ବୁଲୁଥିଲେ କୁନ୍ତୁଳା। ଢୁଡକୁ ଝୁରିଝୁରି ଦୁଃଖରେ ଦିନ କାଟୁଥିଲେ କୁନ୍ତଳା। ଢୁଡକୁ ବନ କର୍ମଚାରୀ ଜଙ୍ଗଲରେ ଛାଡ଼ିବା ପରଠୁ ପ୍ରତିଦିନ ଟିଫିନ ଭର୍ତ୍ତି ଭାତ ଧରି ଜଙ୍ଗଲରେ ଘୂରି ବୁଲି ଢୁଡ଼କୁ ଖୋଜି ବୁଲୁଥିଲେ କୁନ୍ତଳା। ଶେଷରେ ଆଜି ଢୁଡକୁ ପାଇ କୁନ୍ତଳାଙ୍କ ପରିବାର ସମସ୍ତେ ଖୁସିରେ ଉଛୁଳି ଉଠିଛନ୍ତି।