ଶିଖରଚଣ୍ଡୀ ଜଙ୍ଗଲରେ ନିଆଁ,

ଭୁବନେଶ୍ୱର: ଶିଖରଚଣ୍ଡୀ ଜଙ୍ଗଲରେ ନିଆଁ । ହୁତୁ ହୁତୁ ହୋଇ ଜଳୁଛି ଶିଖରଚଣ୍ଡୀ ପାହାଡ଼ର ଅଧିକାଂଶ ଅଞ୍ଚଳ । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ପାହାଡର ଉପର ପାର୍ଶ୍ୱରେ ନିଆଁ ଲାଗିଥିବା ଦେଖାଯାଇଛି । ତେବେ ଏହି ନିଆଁକୁ କେହି ଦୁର୍ବୃତ୍ତ ଜାଣିଶୁଣି ଲଗାଇଥିବା ଅନୁମାନ କରାଯାଉଛି । ନିଆଁରେ ପ୍ରାୟ ୫ ଏକର ଜଙ୍ଗଲ ନଷ୍ଟ ହୋଇଯାଇଛି । ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଚନ୍ତି ଅଗ୍ନିଶମ କର୍ମଚାରୀ । ତେବେ ସନ୍ଧ୍ୟାସୁଦ୍ଧା ନିଆଁ ଆୟତ୍ତ ହୋଇନଥିବା ସୂଚନା ମିଳିଛି ।

ସେହିଭଳି ନିକଟ ଅତୀତରେ ଅନ୍ୟ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଦେଖାଯାଇଛି । ତେବେ ଏହି ନିଆଁ କିଏ ଲଗାଉଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ି ନାହିଁ । କିନ୍ତୁ କିଛି ଜଙ୍ଗଲରେ ଆପେ ଆପେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଖରାର ପ୍ରକୋପ ନବଢ଼ୁଣୁ ଯଦି ଜଙ୍ଗଲରେ ଏଭଳି ନିଆଁ ଲାଗିବ ତେବେ ଆଗକୁ କ’ଣ ହେବ ସେନେଇ ପରିବେଶବିତ୍‌ ଚିନ୍ତାରେ ପଡ଼ିଯାଇଛନ୍ତି ।

ଅନ୍ୟପଟେ ହୁତୁହୁତୁ ହୋଇ ଜଳୁଛି ନୀଳଗିରି କୁଳଡିହା ଜଙ୍ଗଲ । ଜଙ୍ଗଲରେ ନିଆଁ ଲାଗିବାର କାରଣ ଅନୁଧ୍ୟାନ କରିଛନ୍ତି ବାଲେଶ୍ୱର ଡିଏଫ୍ଓ ବିଶ୍ଵରାଜ ପଣ୍ଡା । ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ଅଛନ୍ତି ୯୦ରୁ ଅଧିକ କର୍ମଚାରୀ, ଅଗ୍ନିଶମ ବାହିନୀ ଓ କିଛି ସ୍ଥାନୀୟ ଅଞ୍ଚଳବାସୀ । ଜଙ୍ଗଲ ସୁରକ୍ଷା ଦିଗରେ ଅଗ୍ନିଶମ ବିଭାଗ ଓ ବନକର୍ମଚାରୀ ମଧ୍ୟରେ ସମନ୍ୱୟ ବୈଠକ ହୋଇଛି । ନଣ୍ଡାରି ପର୍ବତର ଶିଖରଠୁ ଆରମ୍ଭ କରି ନିଆଁ ବହୁ ଅଞ୍ଚଳରେ ଧିରେ ଧିରେ ବ୍ୟାପି ଯାଇଛି । ବହୁ ମୂଲ୍ୟବାନ ଗଛ ସବୁ ନଷ୍ଟହେଲାଣି ଆଉ କିଛି ନଷ୍ଟ ହେବାକୁ ବସିଲାଣି । ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କ ଜୀବନ ବିପଦରେ । ଜଙ୍ଗଲରେ ନିଆଁ ଲାଗିବାରୁ ଆଖପାଖ ଗାଁ ମୁହାଁ ହେଉଛନ୍ତି ବନ୍ୟଜନ୍ତୁ ।

Leave a Reply

Your email address will not be published. Required fields are marked *