କୋଭିଡ୍ ଟିକା ନେବା ପରେ ବି ଡାକ୍ତର କରୋନା ସଂକ୍ରମିତ

ରାଉରକେଲା: କରୋନା ଟିକା ନେବା ପରେ ବି କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରିବା ନିହାତି ଆବଶ୍ୟକ । ଟିକେ ଅବହେଳା କଲେ ଆପଣ ହୋଇପାରନ୍ତି କରୋନା ସଂକ୍ରମିତ । ରାଉରକେଲାରେ ଘଟିଛି ଏଭଳି ଘଟଣା । ଜଣେ ଡାକ୍ତର ଦୁଇ ଥର ଟିକା ନେବା ପରେ ବି କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି । ତେବେ ତାଙ୍କ ଶରୀରରେ କିଛି ସମସ୍ୟା ଦେଖାଯାଇନଥିଲେ ମଧ୍ୟ ସେ ଆଇସୋଲେସନରେ ଅଛନ୍ତି ।ରାଉରକେଲା ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ଦୁଇ ଦୁଇଥର ଟିକା ନେବା ପରେ ବି କରୋନା ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ୭୧ ବର୍ଷୀୟ ଡାକ୍ତର ସୟଦ ସୁଲେମାନ ଏବେ କରୋନା ଭୂତାଣୁ କବଳରେ । ଗତ ଜାନୁଆରୀ ୧୬ ତାରିଖରେ ପ୍ରଥମ ଏବଂ ଫେବ୍ରୁଆରୀ ୧୬ ତାରିଖରେ ଦ୍ଵିତୀୟ କୋଭିଡ୍ ଟିକା ନେଇଥିଲେ ସୟଦ । ହେଲେ ମାର୍ଚ୍ଚ ତିନି ତାରିଖରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି ସୟଦ ସୁଲେମାନ ।କୋଭିଡ୍ ଚିହ୍ନଟ ହେବା ପରେ ଡାକ୍ତର ନିଜ ଘରେ ଆଇସୋଲେସନରେ ଅଛନ୍ତି । ତେବେ, ସେ କରୋନା ପଜିଟିଭ୍ ହୋଇଥିଲେ ମଧ୍ୟ ତାଙ୍କ ଠାରେ କୌଣସି ଜଟିଳ ପରିସ୍ଥିତି ସୃଷ୍ଟି ହୋଇ ନଥିବା କହିଛନ୍ତି ଟିକାକରଣ ଦାୟିତ୍ୱରେ ଥିବା ଡାକ୍ତର । ଟିକାକରଣ ପରେ ଶରୀରର ୭୦ ପ୍ରତିଶତ ପ୍ରତିଷେଧକ ଶକ୍ତି ବଢିଥାଏ । ହେଲେ ବି ସଂକ୍ରମଣରୁ ରକ୍ଷା ପାଇଁ ନିଜେ ସଜାଗ ହେବା ସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । କୋଭିଡରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ପରିବାର ସଦସ୍ୟଙ୍କ କୋଭିଡ୍ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *