ପଡିଲା ହାତଗଣ୍ଠି: ଜୀବନସାଥୀ ହେଲେ ପ୍ରମୋଦିନୀ-ସରୋଜ
ଜଗତସିଂହପୁର :– ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଶାର ଛପାକ୍ ଗାର୍ଲ ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ। ୨୦୦୯ ମସିହାରେ ଯୁକ୍ତ ଦୁଇ ପଢ଼ୁଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ । ୨୦୦୯ରୁ ୧୪ ପର୍ଯ୍ୟନ୍ତ କଟକ ବଡ଼ ମେଡିକାଲରେ କୋମାରେ ରହିବା ପରେ ଧୀରେଧୀରେ ସୁସ୍ଥ ହୋଇଥିଲେ ପ୍ରମୋଦିନୀ। ପ୍ରମୋଦିନୀଙ୍କ ଏହି ଜୀବନ ସଂଘର୍ଷରେ ତାଙ୍କୁ ସାଥ ଦେଇଥିଲେ ସରୋଜ। ଆଉ ଆଜି ସେହି ସରୋଜଙ୍କୁ ଜୀବନ ସାଥୀ କରିଛନ୍ତି ପ୍ରମୋଦିନୀ।କନକପୁର ସ୍ଵର୍ଗତ ଅନନ୍ତ ରାଉଳ ଓ ମାଆ କବିତା ରାଉଳଙ୍କ ମଝିଆଁ ଝିଅ ପ୍ରମୋଦିନୀ । ପ୍ରମୋଦିନୀ କଲେଜରୁ ଫେରୁଥିବା ବେଳେ ଏକତରଫା ପ୍ରେମର ଶିକାର ହୋଇ ଏସିଡ ମାଡ଼ର ଶିକାର ହୋଇଥିଲେ ।ଭଦ୍ରକ ଅଞ୍ଚଳର ସନ୍ତୋଷ କୁମାର ବେଦାନ୍ତ ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ କରି ତାଙ୍କ ଉପରକୁ ଏସିଡ ମାଡ଼ କରି ଫେରାର ହୋଇଯାଇଥିଲେ ।ଏସିଡମାଡ଼ରେ ଗୁରୁତର ହୋଇଥିଲେ ହେଁ ପ୍ରମୋଦିନୀ ଜୀବନ ଯୁଦ୍ଧରେ ହାରି ନଯାଇ ସଂଗ୍ରାମ ଜାରି ରଖିଥିଲେ ।୨୦୧୪ ମସିହାରେ ପ୍ରମୋଦିନୀଙ୍କ ସହିତ ସରୋଜଙ୍କ ଦେଖା ପରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଏସିଡ ମାଡ଼ରେ ନିଜର ସର୍ବସ୍ଵ ହରାଇଥିବା ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ସରୋଜ ପ୍ରସ୍ତାବ ଦେବା ଓ ଉଭୟଙ୍କ ସହମତି ପରେ ଆଜି ବୈଦିକ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ସରୋଜ ଓ ପ୍ରମୋଦିନୀ ।ଏହି ବିବାହକୁ ନେଇ ପ୍ରମୋଦିନୀ ଓ ସରୋଜ ବହୁତ ଖୁସି ରହିଥିବା କହିଛନ୍ତି ।
ସମାଜରେ ଏସିଡ ମାଡ଼ରେ ଶିକାର ହୋଇଥିବା ଯୁବତୀମାନେ କେବି ବି ସାହାସ ହାରିବା ଆବଶ୍ୟକ ନୁହେଁ। ନିଜକୁ ପ୍ରତିଷ୍ଠା କରିବା ପାଇଁ ତଥା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଧୈର୍ଯ୍ୟର ଆଵଶ୍ୟକତା ରହିଛି ବୋଲି କହିଛନ୍ତି ବାହାଘରରେ ସାମିଲ ହେବାକୁ ଆସିଥିବା ପ୍ରମୋଦିନୀଙ୍କ ବନ୍ଧୁ ତଥା ବାହାର ରାଜ୍ୟର ଏସିଡ ପୀଡିତା ଯୁବତୀ ।
୨୦୦୯ରେ ଏସିଡ ମାଡ଼ର ଶିକାର ହୋଇଥିବା ପ୍ରମୋଦିନୀଙ୍କ ଭାଗ୍ୟରେ ଆଜି ନୂତନ ପରିବର୍ତ୍ତନ ଆସିଛି। ମାଶାରଳାଙ୍କ କୃପାରୁ ଆଜି ସେ ପୁର୍ନଜନ୍ମ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।ତେଣୁ ପରିବାରରେ ଆଜି ସମସ୍ତେ ଖୁସି ବୋଲି କହିଛନ୍ତି ପ୍ରମୋଦିନୀଙ୍କ ମାଆ ଓ ପିଇସା ।