ଚନ୍ଦ୍ରଯାନ-୩ରେ ରହିବ ନାହିଁ ଅର୍ବିଟର,
ନୂଆଦିଲ୍ଲୀ :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ମୁଖ୍ୟ କେ ସିବନ କହିଛନ୍ତି ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ୨୦୨୨ରେ ହେବାର ସମ୍ଭାବନା ରହିଛି, ଯାହା ପୂର୍ବେ ୨୦୨୦ ଶେଷ ଆଡକୁ ଉତକ୍ଷେପଣ ହେବାର ଥିଲା। କୋଭିଡ୍-୧୯ ଲକ୍ଡାଉନ୍ କାରଣରୁ ଚନ୍ଦ୍ରଯାନ-୩ ଓ ଦେଶର ପ୍ରଥମ ମାନବ ମହାକାଶ ଅଭିଯାନ ‘ଗଗନଯାନ’ ସହିତ ଇସ୍ରୋର ଅନେକ ପ୍ରକଳ୍ପ ଗୁରୁତର ପ୍ରଭାବିତ ହୋଇଛି।
ଚନ୍ଦ୍ରଯାନ-୩ରେ ପୂର୍ବବର୍ତ୍ତୀ ଯାନ ପରି ଅର୍ବିଟର ରହିବ ନାହିଁ। ସିବନ କହିଛନ୍ତି, ଏହି ମିଶନ ଉପରେ କାମ ଜାରି ରହିଛି। ଏହା ଚନ୍ଦ୍ରଯାନ-୨ ପରି ରହିଛି, ମାତ୍ର ଏଥିରେ ଅର୍ବିଟର ରହିବ ନାହିଁ। ଏହାର ସମ୍ଭାବନା ଅଧିକ ଯେ ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ୨୦୨୨ରେ ହେବାର ସମ୍ଭାବନା ରହିଛି।
ଚନ୍ଦ୍ରଯାନ-୨ର ଉତ୍କ୍ଷେପଣ ୨୦୧୯ ଜୁଲାଇ ୨୨ରେ ହୋଇଥିଲା। ଏହାକୁ ଚନ୍ଦ୍ର ଦକ୍ଷିଣ ମେରୁରେ ରୋଭରର ଅବତରଣ ପାଇଁ ପ୍ରକ୍ଷେପଣ କରାଯାଇଥିଲା। ତେବେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ୨୦୧୯ ସେପ୍ଟେମ୍ବର ୭ରେ ଅବତରଣ କରିବାରେ ସଫଳ ହୋଇନଥିଲା। ପ୍ରଥମ ପ୍ରୟାସରେ ସଫଳତା ହାସଲ କରିବାରେ ଭାରତର ସ୍ଵପ୍ନ ଅଧୁରା ରହିଥିଲା।
ଇସ୍ରୋ ପାଇଁ ଚନ୍ଦ୍ରଯାନ-୩ ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ମିଶନ, ଯାହା ଭାରତର ମହାକାଶ ଗବେଷଣା ପାଇଁ ମାର୍ଗ ପ୍ରଶସ୍ତ କରିବ। ସିବନ କହିଛନ୍ତି, ଗଗନଯାନ ପ୍ରକଳ୍ପ ଆଧାରରେ ଚଳିତ ବର୍ଷ ଡିସେମ୍ବରରେ ଇସ୍ରୋ ପ୍ରଥମ ମାନବବିହୀନ ମିଶନକୁ ସଫଳ କରିବାକୁ ଯୋଜନା ରଖିଛି।