ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ବଢିପାରେ କରୋନା ସଂକ୍ରମଣ ମାମଲା । ଏଭଳି ହେଲେ ପୁଣିଥରେ ଲକଡାଉନ ହେବାର ଆଶଙ୍କା ରହିଛି । ଯଦିଓ ବର୍ତ୍ତମାନ ପରିସ୍ଥିତିରେ ଦୈନିକ କରୋନା ସଂକ୍ରମଣ କମୁଛି ।
ଯଦି ଜନସାଧାରଣ ସତର୍କ ନରୁହନ୍ତି ତାହେଲେ ଆଗାମୀ ଦିନରେ କରୋନା ସଂକ୍ରମଣ ବଢ଼ିପାରେ । ଏମିତି ହେଲେ ରାଜ୍ୟରେ ପୁଣି ଲକ୍ଡାଉନ୍ ହୋଇପାରେ ବୋଲି କହିଛନ୍ତି ଡିଏମ୍ଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ।ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନ ଯେପରିକି ମାର୍କେଟ, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦି ସ୍ଥାନ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ଏସବୁ ସ୍ଥାନରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଲାପାଲଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।
ଏଥିସହିତ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଦେଶର କେତେକ ରାଜ୍ୟ ବିଶେଷକରି ମହାରାଷ୍ଟ୍ରରେ ଅନଲକ୍ ପରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇଛି । ଫଳରେ ଅମରାବତୀରେ ପୁଣି ଲକଡାଉନ୍ ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ ସତର୍କ ପଦକ୍ଷେପ ନନେଲେ ଓଡ଼ିଶାରେ ସଂକ୍ରମଣ ବଢ଼ିପାରେ ।ମହାରାଷ୍ଟ୍ର ଓ କେରଳରେ ଲକଡାଉନ ସହ କିଛି ସ୍ଥାନରେ ରାତି କର୍ଫ୍ୟୁ ଲାଗୁ ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ସଂକ୍ରମଣ ବଢ଼ିନି। ଜନସାଧାରଣ ନିଜେ ସଚେତନ ରହିଲେ, ଲକ୍ଡାଉନ୍ର ଆବଶ୍ୟକତା ପଡିବନି । ପ୍ରତିଦିନ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି । ହେଲେ ସାଢ଼େ ୪ କୋଟି ଲୋକଙ୍କ ପାଖକୁ ଯାଇ ହେବନି। ତେଣୁ ଯେଉଁ ଲୋକଙ୍କ ଭିତରେ କିଛି ବି ଲକ୍ଷଣ ଦେଖାଯାଉଛି, ସେମାନେ ନିଜେ ଜଣାନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।