ଓମଫେଡ୍ ପାଉଚ୍ ସ୍କାମ୍, IAS ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତଙ୍କ କ୍ଲିନ୍ ଚିଟ୍
ଭୁବନେଶ୍ୱର: ଓମଫେଡ୍ ପଲି ଫିଲ୍ମ ପାଉଚ୍ ସ୍କାମ ଦୁର୍ନୀତି ଅଭିଯୋଗ ମାମଲାରେ IAS ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ କ୍ଲିନ୍ ଚିଟ୍ ଦେଇଛନ୍ତି । ୨୦୧୫ ଅଗଷ୍ଟରୁ ୨୦୧୬ ଜୁନ୍ ମଧ୍ୟରେ ଆଇଏଏସ୍ ବିଷ୍ଣୁପଦ ସେଠୀ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଥିବା ବେଳେ ଦୁର୍ନୀତି ଅଭିଯୋଗ ହୋଇଥିଲା । ପଲି ଫିଲ୍ମ ପାଉଚ୍ କିଣାରେ ଦୁର୍ନୀତି ଯୋଗୁଁ ଓମଫେଡକୁ ୬ କୋଟି ୩୫ ଲକ୍ଷ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗ ଅନୁସାରେ, IAS ବିଷ୍ଣୁପଦ ସେଠୀ ଓମଫେଡ୍ ଏମଡି ଥିବାବେଳେ ୬୬୮ ମେଟ୍ରିକ ଟନ୍ ପଲି ଫିଲ୍ମ ପ୍ୟାକେଜିଂ ମାଟେରିଆଲ୍ କିଣିଥିଲେ । ଯାହାଦ୍ୱାରା ଓମଫେଡ୍ କ୍ଷତି ସହିଥିବା ବେଳେ କମଳା ଏଜେନ୍ସି କଟକକୁ ଲାଭ ମିଳିଥିଲା । ଏନେଇ ଅଭିଯୋଗ ପରେ ୨୦୧୬ ଡିସେମ୍ବର ୧ ତାରିଖରେ ତତ୍କାଳୀନ ଓମଫେଡ୍ ଏମଡି ମଧୁସୂଦନ ପାଢ଼ୀ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ।
ଏହା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଉତ୍ତର ଦେଇଥିଲେ । ଏପରିକି ପଲି ଫିଲ୍ମ ପାଉଚ୍ ବାବଦକୁ କଟକର କମଳା ଏଜେନ୍ସି ପାଇବାକୁ ଥିବା ୩ କୋଟି ୩୧ ହଜାର ୪୯ ହଜାର ୧୮୦ ଟଙ୍କା ଓମଫେଡ୍ ସ୍ଥଗିତ ରଖିଥିବା କହିଥିଲେ ।
୨୦୦୯ ମସିହାରୁ ଓମଫେଡ୍ IDMC Ltd ଠାରୁ ପଲିରୋଲ୍ସ କିଣୁଛି । IDMC Ltd, NDDBର ଏକ ସବସିଡାରୀ କମ୍ପାନୀ । ୨୦୧୫ ପୂର୍ବ ଯାଏ ଓମଫେଡ୍ ୪୮ ମାଇକ୍ରନର ପଲିରୋଲ୍ କିଣୁଥିଲା । ୨୦୧୫ ଦୁର୍ଗା ପୂଜା ସମୟରେ ଓମଫେଡର ଲିକ୍ୱିଡ୍ ମାର୍କେଟ୍ ସେୟାର ଖସିଥିଲା । ସେହି ସମୟରେ ଓମଫେଡ୍ କର୍ତ୍ତୃପକ୍ଷ IDMC Ltd ଠାରୁ ଉଚ୍ଚକ୍ଷମତା ଥିକ ପଲିରୋଲ୍ କିଣିବାକୁ ସ୍ଥିର କରିଥିଲେ । ୬୦ରୁ ୬୫ ମାଇକ୍ରନ ପଲିରୋଲ ଯାହାର ଭିତର ପଟ ଆସ୍ତରଣ କଳା ଓ ବାହାର ପଟ ୪ ପ୍ରକାରର ରଙ୍ଗ ଥିବ କିଣିବା ନେଇ ନିଷ୍ପତ୍ତି ହୋଇଥିଲା । ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପଲିରୋଲ୍ କିଣିବାକୁ ନିଷ୍ପତ୍ତି ନେଇଥିଲା ଓମଫେଡ୍ ।
ତଦନୁସାରେ, ଓମଫେଡ୍ IDMC Ltdକୁ ଆମନ୍ତ୍ରଣ କରିଥିଲା । IDMC Ltd ଉକ୍ତ ମାନର ପଲିରୋଲ୍ ପାଇଁ ତାର ଅଧିକୃତ ଷ୍ଟକିଷ୍ଟ କଟକର କମଳା ଏଜେନ୍ସିକୁ ୬୦ରୁ ୬୫ ମାଇକ୍ରନ ପଲିରୋଲ୍ କେଜି ପିଛା ୨୧୯ ଟଙ୍କା ୩୪ ପଇସା ଦେବାକୁ ରାଜି ହୋଇଥିଲା । ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ IDMC Ltd ଓମଫେଡକୁ ୫୫୭.୪୩ ମେଟ୍ରିକ୍ ଟନ୍ ୬୫ ମାଇକ୍ରନ ପଲିରୋଲ୍ ଓ ୧୪୮ ମେଟ୍ରିକ୍ ଟନ୍ ୪୮ ମାଇକ୍ରନ୍ ପଲିରୋଲ୍ ଯୋଗାଇ ଥିଲା । ୬୫ ମାଇକ୍ରନର ୫୫୭.୪୩ ମେଟ୍ରିକ୍ ଟନ୍ ପଲିଥିନକୁ ୧୦ କୋଟି ୭୬ ଲକ୍ଷ ଟଙ୍କା ଏବଂ ୪୮ ମାଇକ୍ରନର ୧୪୮ ମେଟ୍ରିକ୍ ଟନ୍ ପଲିରୋଲ୍ ପାଇଁ ୨ କୋଟି ୭୮ ଲକ୍ଷ ଟଙ୍କା ଏଭଳି ଭାବେ ୭୦୫.୩୫ ମେଟ୍ରିକ୍ ଟନ୍ ପଲିରୋଲ ପାଇଁ ୧୩ କୋଟି ୫୪ ଲକ୍ଷ ଟଙ୍କା ବିଲ୍ ହୋଇଥିଲା ।