ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ହଟିଲେ କିରଣ ବେଦୀ
ନୂଆଦିଲ୍ଲୀ:-ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର( ଏଲଜି) ଡ. କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ଏ ନେଇ ମଙ୍ଗଳବାର ରାତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶରେ ସୂଚିତ କରାଯାଇଛି। ଅପରପକ୍ଷେ ତେଲେଙ୍ଗାନା ରାଜ୍ୟପାଳ ଡ.ତାମିଲସାଇ ସୁନ୍ଦରରାଜନଙ୍କୁ କେନ୍ଦ୍ର ଶାସିତ ରାଜ୍ୟର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ମୁତାବକ ନୂତନ ନିଯୁକ୍ତି ପର୍ଯ୍ୟନ୍ତ ରାଜ୍ୟପାଳ ଡ.ସୁନ୍ଦରରାଜନ ପୁଡୁଚେରୀ ଏଲଜିଙ୍କ କାର୍ଯ୍ୟାଳୟର ଦାୟିତ୍ୱ ତୁଲାଇବେ। ଗତ ଫେବୃଆରୀ ୧୦ ତାରିଖରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସାମୀ ରାଷ୍ଟ୍ରପତିଙ୍କୁ ଭେଟି ରାଜ୍ୟରୁ ତୁରନ୍ତ ଉପରାଜ୍ୟପାଳଙ୍କ ପ୍ରତ୍ୟାହାର ଲାଗି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଏଲଜି ରାଜ୍ୟରେ ତୋଗଲକୀ ଦରବାର ଚଳାଇଥିବା ସାମୀ ଅଭିଯୋଗ କରିଥିଲେ। ନିର୍ବାଚିତ ସରକାରଙ୍କ ବିଭିନ୍ନ ପ୍ରସ୍ତାବ କାର୍ଯ୍ୟାନ୍ୱୟନରେ ଏଲଜି ମୁଖ୍ୟ ପ୍ରତିବନ୍ଧକ ବୋଲି କହିଥିଲେ। ସାମୀ ତାଙ୍କ ସ୍ମାରକରେ ଏପରି ଅନେକ ଯୋଜନା ସମ୍ପର୍କରେ ସୂଚିତ କରିଥିଲେ ଯେଉଁଗୁଡିକ ଏଲଜିଙ୍କ ଯୋଗୁ କାର୍ଯ୍ୟକାରୀ ନ ହୋଇ ଅଟକି ରହିଥିଲା।
ସାମୀ ଓ ଉପରାଷ୍ଟ୍ରପତିଙ୍କ ଏହି ସାକ୍ଷାତ ଆଲୋଚନା ଅନୁନ୍ୟ ଅଧଘଣ୍ଟା ଧରି ଚାଲିଥିଲା। ଏଥିରେ ସାମି ଏଲଜି ପଦରୁ ଡ. ବେଦୀଙ୍କୁ ହଟାଇବା ଲାଗି ରାଜ୍ୟର ଜନସାଧାରଣଙ୍କ ସ୍ୱାକ୍ଷର ସମ୍ବଳିତ ପତ୍ର ମଧ୍ୟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ।