ମଦ ପିଇ ଧରା ପଡିଲେ ଚାକିରିରୁ ବହିଷ୍କୃତ ହେବେ ପୋଲିସ କର୍ମଚାରୀ
ପାଟନା:-ବିହାରରେ ଯଦି କୌଣସି ବି ପୋଲିସକର୍ମୀ ଡ୍ୟୁଟି ସମୟରେ ମଦ ପିଇଥିବା ଧରା ପଡନ୍ତି ତେବେ ତାଙ୍କୁ ତତ୍କାଳ ଚାକିରିରୁ ବହିଷ୍କାର କରାଯିବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ସଂପର୍କରେ ସୋମବାର ସ୍ପଷ୍ଟ ଭାବ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ପୋଲିସକର୍ମୀ ମଦ ସେବନ ନକରିବାର ଶପଥ ନେଇଛନ୍ତି। ଏଥିପାଇଁ କୌଣସି ପୋଲିସକର୍ମୀ ଯଦି ଡ୍ୟୁଟି ସମୟରେ ମଦ ପିଇଥିବା ଧରା ପଡନ୍ତି ତେବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତତ୍କାଳ ଚାକିରିରୁ ବରଖାସ୍ତ କରାଯିବ। ସମସ୍ତ ଚୌକିଦାରଙ୍କୁ ସ୍ଥାନୀୟସ୍ତରରେ ତ୍ରୁଟି କଲେ ସେମାନଙ୍କ ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ସୋମବାର ନିର୍ଦ୍ଦେଶ ଦେଇଛନ୍ତି ଯେ, ସୀମାବର୍ତ୍ତୀ ଅଞ୍ଚଳରେ ତନ ତନ ଯାଞ୍ଚ କରନ୍ତୁ ଏବଂ ତ୍ରୁଟି ମିଳିଲେ ସ୍ଥାନୀୟ ପ୍ରଶାସନ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରାଯାଉ। ମଦ ଉପରେ ପ୍ରତିବନ୍ଧକ ଲାଗିବା ପରେ ମଦ ବ୍ୟବସାୟ କରୁଥିବା ଲୋକେ କଣ କାମ କରୁଛନ୍ତି ତା ଉପରେ ବିଷୟରେ ସୂଚନା ଏକତ୍ର କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରୀ ଯୋଜନାର ଲାଭ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟ ସୁନିଶ୍ଚିତ କରାଯାଉ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ମଦର ବେଆଇନ କାରବାର କରୁଥିବା ଲୋକଙ୍କ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ତ୍ରୁଟି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।