ଆସନ୍ତାକାଲିଠୁ ଖୋଲିବ ସମସ୍ତ ଇଞ୍ଜିନିୟରିଂ କଲେଜ୍,

ଭୁବନେଶ୍ଵର:-କରୋନା ସଂକ୍ରମଣ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ମାତ୍ରେ ରାଜ୍ୟରେ ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି। ଗତକାଲି ନବମ ଏବଂ ଏକାଦଶ ଶ୍ରେଣୀ ଖୋଲିବା ପରେ ଆସନ୍ତାକାଲିଠୁ ରାଜ୍ୟରେ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବା ଇଞ୍ଜିନିୟରିଂ କଲେଜ୍। ଏ ନେଇ ମଙ୍ଗଳବାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲି ଅର୍ଥାତ ଫେବୃଆରୀ  ୧୦ରୁ ଇଞ୍ଜିନିୟରିଂ, ଆଇଟିଆଇ, ପଲିଟେକନିକ କଲେଜ ଖୋଲିବ। ସମସ୍ତ ପ୍ରଫେସନାଲ କୋର୍ସ କଲେଜ ମଧ୍ୟ କାଲିଠୁ ଖୋଲିବ। କାଲିଠୁ କଲେଜ ଖୋଲିଲେ ବି ଫେବୃଆରୀ ୧୭ରୁ କଲେଜ୍‌ରେ କ୍ଲାସ୍ ଆରମ୍ଭ ହେବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ରାଜ୍ୟରେ କରୋନା ପ୍ରକୋପ ଥମିବା ପରେ ପ୍ରଥମ କରି ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଖୋଲା ଯାଇଥିଲା। ଏହା ପରେ ଶେଷ ବର୍ଷର ସେମିଷ୍ଟାର ସହ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନ ଖୋଲିବାରେ ଲାଗିଛି। ଏବେ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା କେବେ ଆରମ୍ଭ ହେବ ଦେଖିବା ବାକି ରହିଲା। ଏହି ଦିଗରେ ମଧ୍ୟ ଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

Leave a Reply

Your email address will not be published. Required fields are marked *