ବୃଦ୍ଧ ଭିକାରୀଙ୍କ ଶବ ନିଜ କାନ୍ଧରେ ଉଠେଇଲେ ମହିଳା ସବ୍-ଇନ୍ସପେକ୍ଟର୍, ସାଲ୍ୟୁଟ୍ ଶିରିସା
ପରୋପକାର ଓ ମାନବିକତା ପାଇଁ ଏବେ ଦିଲ୍ଲୀରୁ ଦୌତଲାବାଦ, ଆନ୍ଧ୍ରରୁ ଆସାମ ସବୁଠି ଚର୍ଚ୍ଚାରେ । ତାଙ୍କର କାମ ଦୁନିଆର ଭିଡ ଭିତରେ ତାଙ୍କୁ ଅଲଗା କରି ଛିଡା କରିଛି । ପୋଲିସର ଦାୟିତ୍ୱ ଜନସେବା। ଅନେକ ବିପରୀତ ସ୍ଥିତିରେ ପୋଲିସ ଏହା ପ୍ରମାଣ ମଧ୍ୟ କରିଛି। ହାଇଦ୍ରାବାଦରୁ ଏହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ମହିଳା ସବ-ଇନ୍ସପେକ୍ଟର ଜଣେ ଅଜଣା ବୃଦ୍ଧଙ୍କ ଶବ ନିଜ କାନ୍ଧରେ ଟେକି ପାଖାପାଖି ଗୋଟିଏ କିଲୋମିଟର ଯାଇଛନ୍ତି। ମହିଳା ପୋଲିସ କର୍ମୀଙ୍କ ଏହି କାମ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି।
ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କାଶିବୁଗ୍ଗା ପୋଲିସ ଥାନାରେ ମହିଳା ପୋଲିସ କର୍ମୀ ସିରିଶା ପୋଲିସର ଉପ-ନିରୀକ୍ଷକ ଭାବେ ନିୟୋଜିତ ଅଛନ୍ତି।
କୋଥାରୁ ଅଞ୍ଚଳରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସିରିଶାଙ୍କୁ ଖବର ମିଳିଥିଲା। ଖବର ପାଇ ସେ ସେଠାରେ ପହଞ୍ଚିଥିଲେ ଓ ମୃତଦେହ ସେଠାରୁ ଉଠାଇବାକୁ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। କିନ୍ତୁ କେହି ବି ତାଙ୍କୁ ସାହାଯ୍ୟ କରିନଥିଲେ। ଫଳରେ ସେ ନିଜେ ଶବ ସେଠାରୁ ଉଠେଇବାକୁ ନିଷ୍ପତ୍ତି ନେଲେ। ଟାଇମ୍ସ ଅଫ ଇଣ୍ଡିଆ ସହ କଥାବାର୍ତ୍ତାରେ ସେ କହିଛନ୍ତି ଯେ, ମୃତ ବ୍ୟକ୍ତି ଭିକାରି ବୋଲି ସ୍ଥାନୀୟ ଲୋକେ କହିଥିଲେ। ସେ କହିଛନ୍ତି ଯେ ମୃତଦେହକୁ ଗାଡି ସାହାଯ୍ୟରେ କ୍ଷେତ ଯାଏଁ ନେବା ସହଜ ନଥିଲା କାରଣ ସେଠାରେ ରାସ୍ତା ନଥିଲା। ସେଥିପାଇଁ ସେ ମୃତଦେହ ସେଠାରୁ ଉଠାଇବାକୁ ଗାଁଲୋକଙ୍କୁ ସାହାଯ୍ୟ ମାଗିଥିଲେ କିନ୍ତୁ କେହି ତାଙ୍କୁ ସାହାଯ୍ୟ କରିନଥିଲେ। ସେଥିପାଇଁ ସେ ନିଜେ ମୃତଦେହ ନିଜ କାନ୍ଧରେ ଟେକି ନେଇଯାଇଥିଲେ।
ସେ କହିଛନ୍ତି, ଏହା ସନ୍ଦିଗ୍ଧ ମୃତ୍ୟୁ ମାମଲା ନୁହେଁ। କାରଣ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା। ବ୍ୟକ୍ତି ଜଣକ ଖାଇବାକୁ ନ ପାଇ ମୃତ୍ୟୁ ହୋଇଥିବା ସେ ଆଶଙ୍କା କରିଛନ୍ତି। ସିରିଶା ଲୋକଙ୍କ ସାହାଯ୍ୟରେ ଶବକୁ ନିଜ କାନ୍ଧରେ ଉଠେଇଲେ ଓ ପାଖାପାଖି ଗୋଟିଏ କିଲୋମିଟର ଯାଏଁ ଟେକି ନେଇଯାଇଥିଲେ। ତାପରେ ଏକ ସ୍ଥାନୀୟ ସ୍ଵେଚ୍ଛାସେବି ସଂସ୍ଥା ସହାୟତାରେ ଅନ୍ତିମ ସଂସ୍କାର କଲେ। ଜିଲ୍ଲାର ପୋଲିସ ଅଧିକାରୀ ସିରିଶାଙ୍କ ଏହି ସେବା ପାଇଁ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି। ତେଲେଙ୍ଗାନା ରାଜ୍ୟ ପୋଲିସ ସିରିଶାଙ୍କୁ ଟ୍ୱିଟରରେ ଶୁଭେଚ୍ଛା ଜଣାଇଛି।
ହାତଗୁଞ୍ଜା ହେଉ କି ବଟି। ପୁଣି କେତେବେଳେ କେସ୍ ରଫାଦଫା ପାଇଁ ମୋଟା ଅଙ୍କର ମାଲ୍। କେତେକେତ କଳାକାରନାମା ସାଙ୍ଗରେ ଯୋଡ଼ି ହେଉଛି ପୋଲିସ ଅଧିକାରୀଙ୍କ ନାଁ। ଯେଉଁଥିପାଇଁ ପୋଲିସଙ୍କ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ତୁଟିତୁଟି ଯାଉଛି। ହେଲେ ବାର ବର୍ଷର ପିଲାର ମାଆ ଶିରିସାଙ୍କୁ ଦେଖିଲେ ଲାଗୁଛି, ଏବେ ବି ପୋଲିସ ସମାଜ ପାଇଁ ଆଦର୍ଶ ହୋଇ ରହିଛି। ଏମିତି ବି ପୋଲିସ ଅଛନ୍ତି ଯେଉଁମାନଙ୍କ ପାଇଁ ସାଲିସ କି ମାଲିସ ନୁହେଁ ବରଂ କର୍ତ୍ତବ୍ୟ ବଡ। ତେଣୁ ଦେଶର ବାକି ପୋଲିସକର୍ମୀଙ୍କୁ ଶିରିସାଙ୍କୁ ଦେଖି ଶିଖିବା ଉଚିତ, ସାଲ୍ୟୁଟ୍ କରିବା ଉଚିତ।