ବିଜେପିରେ ସାମିଲ ହେଲେ ଆଉ ଜଣେ ଟିଏମସି ବିଧାୟକ,
କୋଲକାତା:-ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳରୁ ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ଫର୍ଦ୍ଦ ଲମ୍ବିବାରେ ଲାଗିଛି । ଟିଏମସିରେ ଲାଗି ରହିଥିବା ଗୃହ ଯୁଦ୍ଧ ସମୟକ୍ରମେ ବିସ୍ଫୋରଣ ହେବାରେ ଲାଗିଛି । ଫଳସ୍ବରୂପ ମନ୍ତ୍ରୀ, ବିଧାୟକ ଏବଂ ବରିଷ୍ଠ ନେତାମାନେ ଟିଏମସିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଉଛନ୍ତି ।
ଏହାରି ମଧ୍ୟରେ ସୋମବାର ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଥିବା ଡାଇମଣ୍ଡ ହାର୍ବରର ବିଧାୟକ ଦୀପକ ହଲଦାର ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି । ଗତ ୪୬ ଦିନ ମଧ୍ୟରେ ଟିଏମସିର ପ୍ରାୟ ୧୧ ଜଣ ବିଧାୟକ ବିଜେପିରେ ସାମିଲ ହୋଇସାରିଲେଣି । ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ତଥା ହେଭି ଓ୍ବେଟ୍ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ମୁକୁଲ ରାୟଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଛନ୍ତି ଡାଇମଣ୍ଡ ହାର୍ବରର ବିଧାୟକ ଦୀପକ ହଲଦାର ।
ବିଜେପିରେ ସାମିଲ ହେବା ପୂର୍ବରୁ ଦୀପକ ହଲଦାର, ଟିଏମସି ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଥିଲେ ଯେ, ତାଙ୍କୁ ଲୋକଙ୍କ ପାଇଁ କାମ କରିବା ପାଇଁ ଦିଆଯାଉନାହିଁ । ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦୀପକ ହଲଦର କହିଛନ୍ତି, ୨୦୧୭ ପରଠାରୁ ତାଙ୍କୁ ଲୋକମାନଙ୍କ ପାଇଁ ସଠିକ ଭାବେ କାମ କରିବା ପାଇଁ ଦିଆଯାଉନଥିଲା । ସେଥିପାଇଁ ସେ ଦଳ ଛାଡିଥିବା କହିଛନ୍ତି ।
ସେପେଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିଜେପିକୁ ଟାର୍ଗେଟ୍ କରିଛନ୍ତି । ପଶ୍ଚିମବଙ୍ଗବାସୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ‘ଚିନ୍ତା କରନ୍ତୁ ନାହିଁ । ପୁଣି ଥରେ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର କ୍ଷମତାକୁ ଆସିବାକୁ ଯାଉଛି’।
ଦିଦି ଆହୁରି ମଧ୍ୟ କହିଛନ୍ତି, ‘ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା କିଛି ନେତାଙ୍କୁ ଦିଲ୍ଲୀ ନେବା ପାଇଁ ଚାଟାର୍ଡ ପ୍ଳେନ୍ ବ୍ୟବସ୍ଥା କରାଯାଉଛି । ଏମାନଙ୍କ ପାଖରେ ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ଟଙ୍କା ନଥିଲା କିନ୍ତୁ କିଛି ଭ୍ରଷ୍ଟ ନେତାଙ୍କୁ ଚାଟାର୍ଡ ପ୍ଲେନ୍ରେ ଦିଲ୍ଲୀ ନିଆଯାଉଛି ।