ଧନ ମିଶ୍ ୟୁ… କହି ଆକାଉଣ୍ଟ ଖାଲି କରି ଦେଉଛନ୍ତି ଯୁବତୀ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଅର୍ଥ ଠକେଇର ତରିକା ବଦଳିଛି । ଫୋନ୍ ପେ, ଗୁଗଲ ପେ ଠକେଇ ସମ୍ପର୍କରେ ଲୋକେ ସଚେତନ ହେବାପରେ ଦଲାଲମାନେ ଆପଣାଇଛନ୍ତି ଭିନ୍ନ ତରିକା । ଠକେଇ ପାଇଁ ଯୁବତୀଙ୍କୁ ଏବେ ଅସ୍ତ୍ର କରିଛନ୍ତି ଦଲାଲ । ଯୁବକଙ୍କ ନମ୍ବର ସଂଗ୍ରହ କରି ଯୁବତୀମାନଙ୍କୁ ଦେଉଛନ୍ତି ଦଲାଲ । ପରେ ଯୁବତୀମାନେ ଫୋନ୍ କରି ଧନ ମିଶ୍ ୟୁ…ରୁ କଥା ଆରମ୍ଭ କରି ବାହାହେବା ପର୍ଯ୍ୟନ୍ତ କଥା ହେଉଛନ୍ତି । ଏପରି କି ଲିଭ୍ଇନ୍ ରିଲେଶନଶିପ୍ରେ ରହିବାକୁ ଅଫର ଦେଉଛନ୍ତି । ଏଥିପାଇଁ କିଛି ଅର୍ଥ ଦାବି କରୁଛନ୍ତି । ଅର୍ଥ ପଠାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ସହ କ୍ୟୁଆର୍ କୋଡ୍ ଓ ବିଭିନ୍ନ ୟୁଆର୍ଏଲ୍ ଲିଙ୍କ ବ୍ୟବହାର କରୁଛନ୍ତି । ସେମାନେ ଏପରି ଲିଙ୍କ ପଠାଉଛନ୍ତି ଯେ, ସେଥିରେ ୨ ହଜାର ଲେଖା ହୋଇଥିଲେ ଆକାଉଣ୍ଟରୁ କୋଡିଏ ହଜାର ଡେବିଟ୍ ହୋଇଯାଉଛି । ରାଜଧାନୀ ଭୁବଶ୍ୱେରରେ ୧୦୦ରୁ ଊର୍ଦ୍ଧ୍ୱ ଯୁବକ ଏପରି ଠକେଇର ଶିକାର ହୋଇଛନ୍ତି । ତେବେ ପୋଲିସ ସେମାନଙ୍କ ଅଭିଯୋଗ ଗୁରୁତ୍ୱ ଦେବନି ବୋଲି ଅନୁଭବ କରି ଥାନାକୁ ଯାଉନ ଥିବା କେତେଜଣ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ଡେଟିଂ ଆପ୍ ଦ୍ୱାରା ମଧ୍ୟ ଯୁପପିଢ଼ି ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ହୋଇଛି । ମାତ୍ର ପୋଲିସ ଏସବୁ ଅଭିଯୋଗକୁ ଗୁରୁତ୍ୱ ଦେଉନାହିଁ । ଯଦ୍ୱାରା ଠକେଇ ମାତ୍ର ବଢ଼ିଚାଲିଛି । ପୋଲିସ ଯଦି ଏନେଇ ଜନସଚେତନତା ସୃଷ୍ଟି କରନ୍ତା ତେବେ ଠକେଇ ରୋକାଯାଇ ପାରନ୍ତା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।