fake job_nationsbyte

ରାଜଧାନୀରେ ଛତୁ ଫୁଟିଲା ପରି ଖୋଲିଲାଣି ଜାଲ ନିଯୁକ୍ତି ସଂସ୍ଥା

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଚାକିରି ହରାଇଥିବା ଯୁବକଯୁବତୀ ଏବେ ଚାକିରି ଆଶାରେ ପୁଣି ରାଜଧାନୀକୁ ଫେରୁଛନ୍ତି । ଏହାକୁ ଦୃଷ୍ଟରେ ରଖି ରାଜଧାନୀ ଭୁବନେଶ୍ୱର ଗଳିକନ୍ଦିରେ ଛତୁ ଫୁଟିଲା ପରି ଖୋଲାଲାଣି ବେନାମୀ ନିଯୁକ୍ତି ସଂସ୍ଥା । ଚାକିରି ଦେବା ନାଁରେ ଏହି ସଂସ୍ଥାମାନେ ଲକ୍ଷାଧିକ ଟଙ୍କା ଆଦାୟ କରିବା ପରେ ରାତାରାତି ଅଫିସ ଭାଙ୍ଗି ପଳାଉଛନ୍ତି । ଫଳରେ ଚାକିରି ପାଇଁ ଆଶାୟୀ ଟଙ୍କା ଦେଇ ନିରାଶ ହେବାପରେ ଥାନାର ଦ୍ୱାରସ୍ଥ ହେଉଥିଲେ କିଛି ଫାଇଦା ମିଳୁନାହିଁ । ପୋଲିସ ଏସବୁ ଦିଗକୁ ଅଣଦେଖା କରୁଥିବାର ଠକ ସଂସ୍ଥାମାନେ ଏହାର ବେଶ୍ ଫାଇଦା ଉଠାଉଛନ୍ତି । ରାଜଧାନୀର ପ୍ରତ୍ୟେକ ଥାନାକୁ ଏପରି ଅଭିଯୋଗ ଆସୁଥିଲେ ମଧ୍ୟ ପୋଲିସ ଆଖିଦୃଶିଆ ପଦକ୍ଷେପ ନେଉନାହିଁ କିମ୍ବା ସମ୍ପୃକ୍ତ ସଂସ୍ଥାକୁ ଯାଞ୍ଚ କରୁନାହିଁ । ଫଳରେ ସମ୍ପୃକ୍ତ ସଂସ୍ଥାମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟ ଖୋଲି ଏପରି ଠକେଇ କରି ଚାଲିଛନ୍ତି । ପ୍ରଥମେ ରେଜିଷ୍ଟ୍ରେଶନ ପାଇଁ ଅଳ୍ପ ଅର୍ଥ ଆଦାୟ କରୁଛନ୍ତି । ପରେ ମିଛ ଅଫର ଲେଟର ଧରାଇ ହଜାରହଜାର ଟଙ୍କା ଲୁଟି ନେଉଛନ୍ତି । ଏସବୁ ସଂସ୍ଥା କେତେକ ସ୍ଥାନରେ ସରକାରୀ ବିଭାଗରେ ମଧ୍ୟ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ କରୁଛନ୍ତି । ନିକଟରେ ରାଜଧାନୀରେ ଧାରଣାରତ ଏଏନ୍‌ଏଙ୍କୁ ଚାକିରି ସ୍ଥୟୀ କରାଇ ଦେବାକୁ କହି ଟଙ୍କା ଆଦାୟ କରୁଥିବା ଏହାର ଜ୍ୱଳନ୍ତା ଉଦାହରଣ । ନିଯୁକ୍ତି ଯୋଗାଇ ଦେବାକୁ ସୋସିଆଲ୍ ମିଡିଆ କିମ୍ବା ବିଭିନ୍ନ ଅଫିସ ଖୋଲି ଠକେଇ କରୁଥିବା ବ୍ୟକ୍ତିଙ୍କ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଯାଇ ଏହାକୁ ରୋକାଯାଇ ପାରିବ । ନଚେତ୍ ଦିନକୁ ଦିନ ସାଇବର ଠକେଇ ଭଳି ନିଯୁକ୍ତି ଠକେଇ ଦିନେ ପୋଲିସ ପାଇଁ ଚିନ୍ତାର କାରଣ ହେବ । ଯଦି ପୋଲିସ ଏବେଠାରୁ ସଜାଗ ହୁଅନ୍ତା ତେବେ ଠକେଇରୁ ଯୁବପିଢ଼ି ରକ୍ଷା ପାଇ ପାରନ୍ତି ବୋଲି ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *