ରକ୍ତାକ୍ତ ସଂଘର୍ଷ ଭିତରେ ଟ୍ରମ୍ପ ଶାସନର ଅବସାନ

ଆମେରିକାର:- ୨୦ ଜାନୁଆରୀ ୨୦୧୭ରୁ ୪୫ ତମ ରାଷ୍ଟ୍ରପତି ଭାବେ ଆମେରିକାର ଦାୟିତ୍ୱ ଗ୍ରହଣ କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଶାସନର ରକ୍ତାକ୍ତ ଅବସାନ ଘଟିଛି । ନିଜ ପରାଜୟକୁ ସ୍ୱୀକାର ନକରିବାରୁ ଶେଷରେ ରକ୍ତପାତ ଘଟିବା ସହ ୪ ଜଣଙ୍କ ମୁଣ୍ଡ ଗଡିଛି । ଜୋ ବାଇଡେନଙ୍କୁ ବିଧିବଦ୍ଧ ଭାବେ ନୂଆ ରାଷ୍ଟ୍ରପତି ଘୋଷଣା କରାଯାଇଛି । ଏହା ସହ ପରାଜୟ ସ୍ୱିକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକା କଂଗ୍ରେସ ଇଲେକ୍ଟୋରାଲ କଲେଜ ଭୋଟର ଫଳାଫଳ ମିଳିସାରିଛି । ଯେଉଁଥିରୁ ଜୋ ବାଇଡେନଙ୍କୁ ଅଧିକ ଭୋଟ ମିଳିଥିବା ସ୍ପଷ୍ଟ ହୋଇଛି । ଆମେରିକା କଂଗ୍ରେସର ଏହି ଘୋଷଣା ପରେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ।

ଜୋ-ବାଇଡେନଙ୍କୁ ଇଲେକ୍ଟୋରାଲ କଲେଜ୍ ଭୋଟ ବିଷୟରେ ଘୋଷଣା କରିବାକୁ ବୁଧବାର ଆମେରିକା କଂଗ୍ରେସ ଏକତ୍ରିତ ହୋଇଥିଲା । ଏହି ଖବର ଜଣାପଡିବା ପରେ ହଜାର ହଜାର ସଂଖ୍ୟାରେ ଟ୍ରମ୍ପ ସମର୍ଥକ ଆମେରିକାର ସଂସଦ ଭବନ କ୍ୟାପିଟଲକୁ ଯାଇ ରିପବ୍ଲିକାନ ପତାକା ଉତୋଳନ କରିବା ସହ ଭଙ୍ଗାରୁଜା କରିଥିଲେ । ତିନି ଘଂଟା ଧରି ହିଂସାକାଣ୍ଡ ଚାଲିବା ପରେ କଂଗ୍ରେସ ବାଇଡେନଙ୍କ ଇଲେକ୍ଟୋରାଲ କଲେଜ ବିଜୟ ପ୍ରମାଣ ପତ୍ର ଦେବା କାର୍ଯ୍ୟ ଆରମ୍ଭ କରିଥିଲା । ଅନେକ ସମୟ ଧରି ବିତର୍କ ଚାଲିଥିଲା । ବିତର୍କ ପରେ ହାଉସ ଏବଂ ସିନେଟ ବାଇଡେନଙ୍କ ସପକ୍ଷରେ ୩୦୬ ଭୋଟ ଏବଂ ଟ୍ରମ୍ପଙ୍କ ସପକ୍ଷରେ ୨୩୨ ଭୋଟ ପାଇଥିବା ଚୂଡାନ୍ତ ଇଲେକ୍ଟୋରାଲ କଲେଜ୍ ଭୋଟ ପ୍ରମାଣପତ୍ର ଦେଇଥିଲା ।

ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକା ସଂସଦ ଭବନ ଭିତରେ ପଶି ହିଂସାକାଣ୍ଡ ଘଟାଇବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଆମେରିକାର ବହୁ ସାଂସଦ ଓ ଗଭର୍ଣ୍ଣର । ଆମେରିକାର ସମ୍ବିଧାନକୁ ସଂଶୋଧନ କରି କିମ୍ବା ମହାଭିଯୋଗ ଆଣି ଟ୍ରମ୍ପଙ୍କୁ ପଦରୁ ହଟାଇବା ପାଇଁ ସେମାନେ ଦାବି କରିଛନ୍ତି ।

୪ ନଭେମ୍ବର ୨୦୨୦ । ନିଜକୁ ବିଜୟୀ ଘୋଷଣା କରିଥିଲେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ମତଗଣନା ଜାରି ରହିଥିଲା । ହେଲେ ଫଳାଫଳ ଆସିବା ଆଗରୁ ଏକ ନାଟକୀୟ ଘଟଣାକ୍ରମରେ ନିଜକୁ ବିଜୟୀ ଘୋଷଣା କରିଦେଇଥିଲେ ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପରିକି ଡେମୋକ୍ରାଟ ଦଳ ଭୋଟ୍ ଚୋରି କରୁଥିବା ଓ ଜାଲିଆତି କରି ବିଜୟୀ ହେବାକୁ ପ୍ରୟାସ କରୁଥିବା ଅଭିଯୋଗ ବାଢିଥିଲେ । ଦେଖନ୍ତୁ କ’ଣ ଅଭିଯୋଗ କରିଛନ୍ତି ଟ୍ରମ୍ପ ।

(ଆମେ ବିଜୟୀ ହେବାକୁ ଯାଉଛୁ । କହିବାକୁ ଗଲେ ଆମେ ଜିତି ସାରିଛୁ । ରିପବ୍ଲିକାନମାନେ ଏକ ବିରାଟ ଉତ୍ସବ ପାଳନ କରିବାକୁ ଯାଉଛନ୍ତି । ତେବେ ତତକ୍ଷଣାତ କିଛି ଅଘଟଣ ଘଟିଛି । ଆମେ ଏକାଧିକ ରାଜ୍ୟରେ ବିଜୟୀ ହୋଇଚାଲିଛୁ । ଏହା ଘୋଷଣା ହେବାର ଥିଲା । କିନ୍ତୁ ହଠାତ ସେଠାରେ ହେରଫେର ହୋଇଗଲା ।)

ଟ୍ରମ୍ପଙ୍କ ଏହି ବୟାନ ସାରା ଦେଶରେ ନିଆଁ ଲଗାଇ ଦେଇଥିଲା । କେଉଁଠି ତାଙ୍କ ସମର୍ଥକ ଆନ୍ଦୋଳନକୁ ଓହ୍ଲାଇଥିଲେ ତ ଆଉ କେଉଁଠି ତାଙ୍କ ବିରୋଧୀ ବିକ୍ଷୋଭ କରିଥିଲେ । ଏହା ବୁଧବାର ଉଗ୍ରରୂପ ଧାରଣ କରିଥିଲା । ଆଉ ହିଂସାକାଣ୍ଡ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଦରୁ ବହିଷ୍କାର ପାଇଁ ଜୋର ଧରିଥିଲା ଦାବି ।

ପରାଜୟକୁ ସ୍ୱୀକାର କଲେ ଟ୍ରମ୍ପ । ଫଳାଫଳକୁ ନେଇ ଅସନ୍ତୋଷ ବି ପ୍ରକାଶ କଲେ । ଆମେରିକା କଂଗ୍ରେସ ଦ୍ୱାରା ଜୋ-ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ସାମ୍ବିଧାନିକ ମୋହର ଲଗାଯିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ପରାଜୟକୁ ସ୍ୱୀକାର କରିଛନ୍ତି । ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ସେ କହିଛନ୍ତି..

‘‘ମୁଁ ମୋର ପରାଜୟକୁ ସ୍ୱୀକାର କରୁଛି । ଏକ ଐତିହାସିକ ରାଷ୍ଟ୍ରପତି ଯୁଗର ଅନ୍ତ ହେଲା । ନିର୍ବାଚନର ଏଭଳି ଫଳାଫଳକୁ ନେଇ ମୁଁ ସମ୍ପୂର୍ଣ୍ଣ ଅସହମତି ପ୍ରକାଶ କରୁଛି । ମାତ୍ର ମୁଁ ଜାନୁଆରି ୨୦ ତାରିଖରେ କ୍ଷମତାର ହସ୍ତାନ୍ତର କରିବି । ମୁଁ ସବୁବେଳେ କହିଛି ସଠିକ ଉପାୟରେ କିଭଳି ମତଦାନ ହୋଇପାରିବ, ତାହା ଉପରେ ପ୍ରୟାସ ଜାରି ରଖିବି ଓ ନିର୍ବାଚନର ଫଳାଫଳକୁ କିଭଳି ଭାବେ ସ୍ୱଚ୍ଛ କରିହେବ ସେନେଇ ଚେଷ୍ଟା କରିବି । ଏବେ ମୋର ପ୍ରଥମ ଓ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳର ଅନ୍ତ ଘଟିଲା ।

Leave a Reply

Your email address will not be published. Required fields are marked *