ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର କାର୍ଯ୍ୟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର: ରୂପାନ୍ତରର ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ୱର ଜଳାଶୟ । ଅବ୍ୟବହୃତ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପଡ଼ି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକ ମାନଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିଛି । ଚିତ୍ତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ୱର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ।ଏହି ଅବସରରେ ସୋମବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ବ୍ରହ୍ମପୁରର ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାମଲିଙ୍ଗେଶ୍ୱର ଜଳାଶୟର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ଏହି ପବିତ୍ର ଜଳାଶୟର ଜଳକୁ ପରିଷ୍କାର ରଖିବା ଏବଂ ଏହାର ସୌନ୍ଦର୍ଯ୍ୟମୟ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁରର ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ, ଗତ କିଛି ବର୍ଷ ତଳେ ଏହି ଜଳାଶୟର ଅବସ୍ଥା କଣ ଥିଲା ଏବଂ ବର୍ତ୍ତମାନ ଏହା କେଉଁଠି ପହଞ୍ଚିଛି । ଏହା ହେଉଛି ପରିବର୍ତ୍ତନ, ରୂପାନ୍ତରଣ । ରାମଲିଙ୍ଗେଶ୍ୱର ଜଳାଶୟ ଓ ପାର୍କ ଆଜି ଗଞ୍ଜାମର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଏହା ଆଜି ସମ୍ଭବ ହୋଇପାରିଛି, ବ୍ରହ୍ମପୁରର ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ଓ ସହଯୋଗ ଯୋଗୁଁ ।କୋଭିଡ୍ ସମୟରେ ଗଞ୍ଜାମର ଜନସାଧାରଣଙ୍କର ଦୃଢ଼ ମନୋବଳର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ- ଜନତାଙ୍କ ସଂଯମତା ଓ ଆତ୍ମଶକ୍ତି ଯୋଗୁଁ ଆଜି ଜିଲ୍ଲାରେ ସଫଳ ଭାବରେ କୋଭିଡକୁ ନିୟନ୍ତ୍ରଣ କରାଯାଇପାରିଛି ଏବଂ ଗଞ୍ଜାମ ଆଜି ସାରା ଦେଶ ପାଇଁ ରୋଲ ମଡେଲ ହୋଇପାରିଛି । ବ୍ରହ୍ମପୁରକୁ ଏକ ଆଦର୍ଶ ସହର ଭାବରେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିଛନ୍ତି । ବ୍ରହ୍ମପୁରରେ ଅତ୍ୟାଧୁନିକ ସୁବିଧା ଥିବା ଏକ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ଭାବରେ ଆଗେଇ ଚାଲିଥିବା ବେଳେ ସହର ପାଇଁ ୪୨ କୋଟି ଟଙ୍କା ବ୍ୟାୟରେ ଏକ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ସହରର ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଂ ରୋଡ୍ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।ବ୍ରହ୍ମପୁର ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ରଖିଛି । ବ୍ରହ୍ମପୁର ତଥା ଗଞ୍ଜାମର ବିକାଶ ଉପରେ ମୁଁ ସବୁବେଳେ ତୀକ୍ଷଣ ନଜର ରଖିଛି । ବ୍ରହ୍ମପୁରକୁ ଏକ ସୁନ୍ଦର ତଥା ଆଧୁନିକ ସହର ଭାବରେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇ ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମର ପ୍ରଶଂସା କରିଥିଲେ ।