ଆସନ୍ତା ୩ ଦିନ ଯାଏ କଲବଲ କରିବ ଘନ କୁହୁଡ଼ି
ଭୁବନେଶ୍ୱର:-ରାଜ୍ୟ ସାରା ଶୀତର ଲହରୀ ଜାରି ରହିଥିବା ବେଳେ ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ରହିଛି। ଏପରି ସ୍ଥିତିରେ ଆସନ୍ତା ୩ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିବ । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
ବିଶେଷ କରି ୧୬ଟି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିବ। ସେଥି ମଧ୍ୟରୁ ୬ଟି ଜିଲ୍ଲା ଯଥା କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂପୁର ଏବଂ ଭଦ୍ରକରେ ଘନ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହେବା ଆଶଙ୍କା ରହିଛି । ଆଜି ପାଇଁ ଏହି ୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବୁଧବାର ସକାଳ ଯାଏଁ ଏସବୁ ଜିଲ୍ଲାରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସମ୍ପର୍କରେ ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଗୁରୁଚାପ ବଳୟ ରହୁଥିବାରୁ ଏହା ପ୍ରଭାବରେ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ଯାଏ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ କିଛି ଜିଲ୍ଲାରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।
ରାଜ୍ୟ ସାରା ଶୀତର ଲହରୀ ଜାରି ରହିଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରିଣ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେଉଛି। ଘନ କୁହୁଡ଼ି ଯୋଗୁ ସାଧାରଣ ଲୋକଙ୍କ ଯାତାୟତ ତଥା ଜୀବନ ଯାତ୍ରାରେ ବାଧା ଉପୁଜୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଏସ୍ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର।