ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ସମ୍ବଲପୁର:-ଆଂଚଳିକ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ପର୍ଯ୍ୟଟନ ଓ ହସ୍ତକଳାକୁ ବିଶ୍ୱସ୍ତରରେ ପହଂଚାଇବା ଦିଗରେ ସମ୍ବଲପୁର ଆଇଆଇଏମର ଛାତ୍ରଛାତ୍ରୀମାନେ ବ୍ରିଜ୍ ତିଆରି କରିବେ । ଆଜି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ଅବସରରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧୁ ଏବଂ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଶାର ରତ୍ନ କହିବା ସହ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ବଲପୁର ଆଇଆଇଏମର ଛାତ୍ରଛାତ୍ରୀମାନେ କେମିତି ସ୍ଥାନୀୟ ଅଂଚଳର ପର୍ଯଟନ ଓ ହସ୍ତକଳାର ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରିବା ଦିଗରେ ସହାୟକ ହୋଇପାରିବେ, ସେନେଇ ଆହ୍ୱାନ ଦେଇଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି- ଆଇଆଇଏମ୍ ସ୍ଥାନୀୟ ଓ ଗ୍ଲୋବାଲ ଉତ୍ପାଦ ମଧ୍ୟରେ ବ୍ରିଜ୍ ତିଆରି କରିବ । ସମ୍ବଲପୁରୀ ହସ୍ତକଳାକୁ ବିଶ୍ୱସ୍ତରରେ ପହଂଚାଇବା ଦିଗରେ ଆଇଆଇଏମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଛାତ୍ରଛାତ୍ରୀମାନେ ନିଜ ପରିଚାଳନା ଦକ୍ଷତାର ଉପଯୋଗ କରି ପର୍ଯ୍ୟଟନ ଶିଳ୍ପକୁ ନୂଆ ଦିଗ ଦେଇପାରିବେ । ଏପଟେ ଓଡ଼ିଶା ପୂର୍ବ ଭାରତରେ ଶିକ୍ଷାର ହବ୍ ହେବାକୁ ଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଉଜ୍ୱଳା ଯୋଜନାରେ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଗ୍ୟାସ୍ ସଂଯୋଗର ସଫଳତା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରେୟ ଦେଇଥିଲେ ମୋଦି । ୨୦୧୪ରେ ୧୪ କୋଟି ଉପଭୋକ୍ତାଙ୍କ ପାଖରେ ଗ୍ୟାସ ସଂଯୋଗ ଥିଲା, ବର୍ତମାନ ତାହା ୨୮ କୋଟିରେ ପହଂଚିଛି । ୬ ବର୍ଷର ମୋଦି ଶାସନର ଆଉ ୧୪ କୋଟି ଗ୍ୟାସ୍ ସଂଯୋଗ କରାଯାଇଥିବା କୁହାଯାଇଛି । ଆଉ ଶ୍ରେୟ ଯାଇଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଖାତାକୁ ।

ଭର୍ଜୁଆଲ ମାଧ୍ୟମରେ ହୋଇଥିବା ଏହି ଶିଳାନ୍ୟାସ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଓ ଆଇଆଇଏମ୍ ସମ୍ବଲପୁର ବୋର୍ଡର ଅଧ୍ୟକ୍ଷ ଏବଂ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *