କଳାହାଣ୍ଡିର ବଜାସାଲ ନୃତ୍ୟରେ ଦୁଲୁକିବ ଦିଲ୍ଲୀ, ଦେଖିବ ପୂରା ବିଶ୍ୱ
ଧର୍ମଗଡ଼ :-ଏଥର ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିବ କଳାହାଣ୍ଡିର ବଜାସାଲ ନୃତ୍ୟ। ଦେଶବାସୀଙ୍କ ସହ ପୂରା ବିଶ୍ୱ ଏହି ନୃତ୍ୟର ମଜା ନେଇପାରିବ। ଏଥିପାଇଁ ଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ‘ପ୍ରତିଭା’ ଅନୁଷ୍ଠାନର ୮୦ ଜଣିଆ ଡ୍ୟାନ୍ସ ଗ୍ରୁପ୍ ଆସନ୍ତାକାଲି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୫ ତାରିଖରୁ ସେଠାରେ ସେମାନେ ସାଧାରଣତନ୍ତ୍ର ଦିବସରେ ନୃତ୍ୟ ପରିବେଷଣ ପାଇଁ ଅଭ୍ୟାସ ଆରମ୍ଭ କରିବେ। ପୂର୍ବ ଭାରତର ଏକମାତ୍ର ଦଳ ଭାବେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସରେ ଏହି ନୃତ୍ୟାନୁଷ୍ଠାନ ଭାଗ ନେବାକୁ ସୁଯୋଗ ପାଇଛି। ତେଣୁ ଅନୁଷ୍ଠାନର ସମସ୍ତ କଳାକାର ଖୁସି ଅଛନ୍ତି। ପୂର୍ବରୁ ‘ପ୍ରତିଭା’ ଅନୁଷ୍ଠାନର ନୃତ୍ୟଶିଳ୍ପୀ ଲଣ୍ଡନ ସହିତ ଅନ୍ୟ କିଛି ଦେଶରେ ମଧ୍ୟ ବଜାସାଲ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ଜିଣିଛନ୍ତି।
ଅନୁଷ୍ଠାନର ନୃତ୍ୟଶିଳ୍ପୀ ମନ୍ଦାକିନୀ ବନୁଆ କହିଛନ୍ତି, ଏଇଟା ଆମ ପାଇଁ ଗର୍ବ ଓ ଗୌରବର କଥା। ଆମ ସାର୍ମାନଙ୍କ ପରିଶ୍ରମ ଯୋଗୁ ଆମକୁ ଏହି ସଫଳତା ମିଳିଛି। ଏମିତି ତ ଆମେ ଦେଶର ଅନେକ ସ୍ଥାନରେ ନୃତ୍ୟ ପରିବେଷଣ କରିଛୁ। ବିଦେଶ ବି ଯାଇଛୁ। କିନ୍ତୁ ଦିଲ୍ଲୀରେ ରାଜପଥରେ ନୃତ୍ୟ ପରିବେଷଣ କରିବା ନିଶ୍ଚିତ ଭାବେ ଏକ ଭିନ୍ନ ଅନୁଭୂତି ହେବ। ଏହା ଆମ ପାଇଁ ଏକ ଗୌରବର କଥା। କୋଲକାତାରେ ଅଡିସନ୍ ଦେଇ ଆମେ ଏଠାରେ ନୃତ୍ୟ ପରିବେଷଣ କରିବାକୁ ସୁଯୋଗ ପାଇଛୁ।ଗୁରୁ ଧ୍ୟାନାନନ୍ଦ ପଣ୍ଡା କହିଛନ୍ତି, ବଜାସାଲ ନୃତ୍ୟ ହେଉଛି କଳାହାଣ୍ଡିର ପରମ୍ପରା ଓ ସଂସ୍କୃତି। ଏହାକୁ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ରାଜପଥରେ ପରିବେଷଣ କରିବାଠାରୁ ଅଧିକ ଗର୍ବର ବିଷୟ କ’ଣ ହୋଇପାରେ। ଦେଶର ଇଷ୍ଟଜୋନ୍ରୁ ଏକମାତ୍ର ଦଳ ଭାବେ ଆମେ ମନୋନୀତ ହେଉଛି।