ଖୋଲିବ ମଞ୍ଚ, ଡାଇଲଗରେ କମ୍ପିବ ଷ୍ଟେଜ୍
ଭୁବନେଶ୍ୱର ;- ୯ ମାସର ଯନ୍ତ୍ରଣା ପରେ ଖୋଲିବ ରଙ୍ଗମଞ୍ଚ! ଷ୍ଟେଜ୍ରେ ଜଳିବ ରଙ୍ଗୀନ ଲାଇଟ୍। ଦମ୍ଦାର ଡାଇଲଗ୍ରେ କମ୍ପିବ ଷ୍ଟେଜ୍। ଆଉ ଝଙ୍କାରି ଉଠିବ ଶୀତୁଆ ରାତି। ପୁଣି ନିଶାର୍ଦ୍ଧ ରାତିରେ ମଞ୍ଚ ପାଖରେ ଜମିବ ଯାତ୍ରା ପ୍ରେମୀ ଆସର। ମହାମାରୀ କରୋନା ଭିତରେ ଏପରି ନୂଆ ଆଶା ଦେଖାଇଛନ୍ତି ରାଜ୍ୟ ସରକାର। ଓଡ଼ିଶାର ସବୁ ଲୋକପ୍ରିୟ ମନୋରଞ୍ଜନର ମାଧ୍ୟ ଯାତ୍ରା ପୁଣି ଥରେ ପରିବେଷଣ ହେବ। କୋଭିଡ୍ ଗାଇଡ୍ଲାଇନ୍ରେ ମଞ୍ଚରେ ଯାତ୍ରା ହୋଇପାରିବ। ଏଥିପାଇଁ ଜିଲ୍ଲାପାଳଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ଗତକାଲି ରାଜ୍ୟ ସରକାର ଜାନୁଆରୀ ମାସ ଗାଇଡ୍ଲାଇନ୍ରେ ଦର୍ଶାଇଛନ୍ତି।
ଚଳଚ୍ଚିତ୍ର ଭଳି ଯାତ୍ରା ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସରକାର ଗ୍ରୀନ୍ ସିଗ୍ନାଲ ଦେବା ପରେ ଖୁସିରେ ଝୁମିଛନ୍ତି ଯାତ୍ରା କଳାକାର ଓ ଅନୁଷ୍ଠାନ କର୍ତ୍ତୃପକ୍ଷ। କାରଣ କରୋନା କେବେ ଯିବ, ଆଉ ବୃତ୍ତି କେବେ ଫେରିବେ, କେବେ ସ୍ୱାଭାବିକ ହେବ ସ୍ଥିତି, ସେଇ ଦିନକୁ ଚାତକ ଭଳି ଚାହିଁ ରହିଥିଲେ କଳାକାର। ହେଲେ ସରକାର ଯାତ୍ରା ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ ବୋଲି ସର୍ତ୍ତ ରଖିଥିବାରୁ ରାଜ୍ୟବ୍ୟାପୀ ସବୁ ଜିଲ୍ଲାରେ ସେମାନଙ୍କୁ ଯେପରି ଅନୁମତି ମିଳିବ, ସେଥିପାଇଁ ନିବେଦନ କରିଛନ୍ତି ଯାତ୍ରା କଳାକାର ଓ ପାର୍ଟି ମାଲିକ।