ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ଶ୍ରୀ କ୍ଷେତ୍ରବାସୀ, ଆଜି ଖୋଲିଲା ଲିଙ୍ଗରାଜ ମନ୍ଦିର
ପୁରୀ :-ଦ୍ଵିତୀୟ ଦିନରେ ଶ୍ରୀ ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଶ୍ରୀମନ୍ଦିର ଯାଇ ଦର୍ଶନ କରିଛନ୍ତି ଶ୍ରୀକ୍ଷେତ୍ରବାସୀ। ୬ଟି ୱାର୍ଡ଼ର ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ପୁରୀରେ ରହୁଥିବା ସମସ୍ତ କର୍ମଜୀବୀ ଓ ଭଡ଼ାରେ ରହୁଥିବା ଅନ୍ୟ ଜିଲ୍ଲାର ଭକ୍ତମାନେ ମଧ୍ୟ ଦର୍ଶନ ସୁଯୋଗ ପାଇବେ ବୋଲି କହିଛି ଜିଲ୍ଲା ପ୍ରଶାସନ। ସେହିଭଳି ଆଜି ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିଛି । ପ୍ରଥମ ଦିନରେ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିଛନ୍ତି । ଆସନ୍ତା ୩ରେ ଆରଡିର ଆଖଣ୍ଡଳମଣିଙ୍କ ମନ୍ଦିର ସର୍ବ ସାଧାରଣଙ୍କ ପାଇଁ ଖୋଲିବ । ଏଥିସହ ଜାନୁଆରୀ ପ୍ରଥମ ସପ୍ତାହରେ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀଙ୍କ ମନ୍ଦିର ଖୋଲିବାକୁ ଯୋଜନା ଚାଲିଥିବା ଜଣାପଡିଛି।
ଆଜି ଦ୍ଵିତୀୟ ଦିନରେ ଚକାନୟନଙ୍କ ଦର୍ଶନ ମିଳିଲା। ଦ୍ଵିତୀୟ ଦିନ ପାଇଁ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ଶ୍ରୀକ୍ଷେତ୍ର ବାସିନ୍ଦା। ପୁରୀର ୬ଟି ୱାର୍ଡ଼ର ବାସିନ୍ଦା ପ୍ରଶାସନର ଟୋକନ ନେଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସକାଳୁ ୧୩ ନମ୍ବର ୱାର୍ଡ଼, ଅପରାହ୍ନରେ ୧୬ ଓ ୧୮, ସନ୍ଧ୍ୟାରେ ୨୦,୪ ଓ ୧୭ ନମ୍ବର ୱାର୍ଡ଼ର ବାସିନ୍ଦା ଶ୍ରୀଜିଉଙ୍କ ଦର୍ଶନ କରିବାକୁ ସୁଯୋଗ ପାଇଥିଲେ। ଗତକାଲି ପ୍ରଥମ ଦିନରେ ପ୍ରାୟ ସାଢ଼େ ୪ ହଜାର ଭକ୍ତ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିଥିଲେ । ଶ୍ରୀ ମନ୍ଦିର ପ୍ରଶାସନର ଏସଓପି ଆଧାରରେ କୋଭିଡ଼ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭକ୍ତ। ଆଗକୁ ପୁରୀରେ ରହୁଥିବା ବାହାର ଜିଲ୍ଲାର ବାସନ୍ଦା ଓ କର୍ମଜୀବୀଙ୍କୁ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେପଟେ ଆଜି ଖୋଲିଛି ଲିଙ୍ଗରାଜ ମନ୍ଦିର । ଦର୍ଶନ କରିଛନ୍ତି ସେବାୟତ ଓ ତାଙ୍କ ପରିବାର । ଗର୍ଭ ଗୃହ ଭିତରେ ଦର୍ଶନ ବାରଣ ରହିଛି ତେଣୁ ଆଡ଼ କାଠ ନିକଟରୁ ସମସ୍ତେ ଦର୍ଶନ କରିଛନ୍ତି । ଲିଙ୍ଗରାଜଙ୍କୁ ଦେଖୁ ଦେଖୁ ଅନେକ କୋହ ସମ୍ଭାଳି ପାରିନଥିଲେ । ଭାବ ବିହ୍ବଳ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ । ପ୍ରଥମେ କୋଭିଡ ଆଣ୍ଟିଜେନ୍ ଟେଷ୍ଟ, ପରେ ଥର୍ମାଲ ସ୍କ୍ରିନି ଏବଂ ଅକ୍ସିମିଟର ଦ୍ବାରା ପରୀକ୍ଷା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ସେବାୟତଙ୍କ ପରିବାର ଲୋକେ । ଏଥିପାଇଁ ମନ୍ଦିର ବାହାରେ କୋଭିଡ ପରୀକ୍ଷା ସେଣ୍ଟର କରାଯାଇଛି । ୩୧ ତାରିଖ ଯାଏ ସେବାୟତ ପରିବାର ଦର୍ଶନ କରିବେ। ଏକାଥରକେ ୫୦୦ ଜଣଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ । ଧୂପ, ଦୀପ ଲଗେଇ ପାରିବେ କିନ୍ତୁ ଭୋଗରାଗ ଲଗେଇ ପାରିବେ ନାହିଁ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ ରହିବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀ ନିଜ ପରିଚୟ ପତ୍ର ଦେଇ ଦର୍ଶନ କରିପାରିବେ । ପରେ ୬ରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି ।