ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଏବେ ଡାକ୍ତରୀ ଛାତ୍ର
ବରଗଡ଼:-ଶିକ୍ଷା ପାଇଁ ଯେ ବୟସ ବାଧକ ନୁହେଁ, କେବଳ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ। ଏହାକୁ ସତ ପ୍ରମାଣିତ କରି ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟକିଶୋର ପ୍ରଧାନ । ୬୪ ବର୍ଷ ବୟସ୍କ ଜୟକିଶୋର ଏବେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ।
୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ବୁର୍ଲା ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ଏପରି ପରିଣତ ବୟସରେ ଜଣେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତରୀ ଶିକ୍ଷା ଇତିହାସରେ ଏହା ଏକ ବିରଳ ଘଟଣା ବୋଲି ଭିମସାରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସେପଟେ କିଭଳି ଠିକ୍ ପାଠ ପଢି ଜଣେ ଉତ୍ତମ ଡାକ୍ତର ହୋଇ ବାହାରିବେ ଏବଂ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିପାରିବେ, ଏହା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିବା କହିଛନ୍ତି ଜୟକିଶୋର।